ସମୀକ୍ଷା ବ୍ୟୁରୋ
ଭୁବନେଶ୍ବର- ଲିମ୍କା ରେକର୍ଡ ବୁକ୍ରେ ସ୍ଥାନ ପାଇଛି ବହୁ ଚର୍ଚ୍ଚିତ ଯୋଡ଼ା ମୁଣ୍ଡ ଜଗା-କାଳିଆଙ୍କ ଅସ୍ତ୍ରୋପଚାର। କନ୍ଧମାଳର ମିଲୁପଡ଼ାର ଯୋଡ଼ାମୁଣ୍ଡ ଶିଶୁ ଜଗା-କାଳିଆଙ୍କୁ ଅଲଗା କରାଯାଇଥିଲା । ପ୍ରଥମ ସଫଳ କ୍ରାନିଓପାଗସ୍ ସର୍ଜରୀ ଭାବେ ଲିମିକ୍ ବୁକ୍ରେ ସ୍ଥାନିତ ହୋଇଛି। ବରିଷ୍ଠ ନ୍ୟୁରୋସର୍ଜନ ଡାକ୍ତର ଅଶୋକ ମହାପାତ୍ରଙ୍କ ନେତୃତ୍ୱରେ ୪୦ ଜଣିଆ ଡାକ୍ତର ଟିମ୍ ଉଭୟ ଶିଶୁଙ୍କୁ ଅଲଗା କରିବାକୁ ଅଗଷ୍ଟ ୨୯ରେ ବିରଳ ଅସ୍ତ୍ରୋପଚାରର ନିଷ୍ପତ୍ତି ନେଇଥିଲେ। ଏଭଳି ଅସ୍ତ୍ରୋପଚାରରେ ସଫଳତା ହାର ଖୁବ୍ କମ୍ ଥିବାରୁ ସମସ୍ତଙ୍କ ମନରେ ଆଶା ସହ ଥିଲା ଆଶଙ୍କା। ହେଲେ ଡାକ୍ତରୀ ଦଳର ୩୦ ଘଣ୍ଟାର ପରିଶ୍ରମ ପରେ ସଫଳ ହୋଇଥିଲା ପ୍ରଥମ ପର୍ଯ୍ୟାୟ ତଥା ସବୁଠୁ ଗୁରୁତ୍ୱପୂର୍ଣ୍ଣ ଅସ୍ତ୍ରୋପଚାର। ୨ଟି ଦେହକୁ ୨ଟି ଅଲଗା ଅଲଗା ମୁଣ୍ଡ ମିଳିଥିଲା। ଡାକ୍ତରୀ ଟିମକୁ ମିଳିଥିଲା ବଡ଼ ସଫଳତା। ରାଜ୍ୟ ସରକାର ଶିଶୁଙ୍କ ଚିକିତ୍ସାର ସମସ୍ତ ଭାର ନେଇଥିଲେ । ଦୁହିଁଙ୍କ ସ୍ବାସ୍ଥ୍ୟାବସ୍ଥାରେ ସୁଧାର ଆସିବା ପରେ ଏବେ କଟକର ବଡ଼ମେଡ଼ିକାଲ୍ରେ ଚିକିତ୍ସିତ ହେଉଛନ୍ତି । ଗତ ସେପ୍ଟେମ୍ବର ୭ରେ ସେମାନେ ଦିଲ୍ଲୀରୁ ଓଡ଼ିଶା ଫେରିଛନ୍ତି। ଏଠାରେ ରାଜ୍ୟ ସରକାରଙ୍କ ତରଫରୁ ଦୁହିଁଙ୍କ ଚିକିତ୍ସା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି ।