ବାଲେଶ୍ୱର ଜିଲ୍ଲା ଖନ୍ତପଡ଼ା ଥାନା ଅନ୍ତର୍ଗତ ପଣପଣାରେ ଥିବା ଫାଲ୍କନ୍ ଚିଙ୍ଗୁଡ଼ି ଫ୍ୟାକ୍ଟ୍ରିରେ କ୍ଲୋରିନ୍ ଗ୍ୟାସ୍ ଲିକ୍ ଯୋଗୁ ଗତକାଲି 88 ମହିଳା କର୍ମଚାରୀ ଅଣନିଃଶ୍ୱାସୀ ହୋଇ ଅସୁସ୍ଥ ହୋଇପଡ଼ିଥିଲେ । ଏହି ଘଟଣାରେ କମ୍ପାନୀ ବିରୋଧରେ ମାମଲା ରୁଜୁ କରାଯିବା ସହ 7 ଅଧିକାରୀଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ୍ । ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂହ ବାଲେଶ୍ୱର ମେଡିକାଲ୍ରେ ପହଞ୍ଚି ଅସୁସ୍ଥଙ୍କ ସ୍ୱାସ୍ଥାବସ୍ଥା ସମ୍ପର୍କରେ ପଚାରି ବୁଝିଛନ୍ତି । ଘଟଣାର ତଦନ୍ତ ନିର୍ଦ୍ଦେଶ ଦିଆଯିବା ସହ ଦୋଷୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି । ଫ୍ୟାକ୍ଟ୍ରିର ସମସ୍ତ କର୍ମଚାରୀଙ୍କୁ ବାହାର କରି ସିଲ୍ କରି ଦିଆଯାଇଛି । ଫୋରେନସିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ ଆରମ୍ଭ କରିଥିବା ନେଇ ମଧ୍ୟ ଟ୍ୱିଟ୍ ଯୋଗେ ଡିଜିପି ସୂଚନା ଦେଇଛନ୍ତି ।