ହରିୟାଣାରେ ଭାରତୀୟ ଜନତା ପାର୍ଟି(ଭାଜପା) ଓ ଜନନାୟକ ଜନତା ପାର୍ଟି(ଜେଜେପି) ମେଣ୍ଟ ସରକାରର ପ୍ରଥମ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ଘଟିଛି । ସରକାର ଗଠନ ହେବାର ୧୭ ଦିନ ପରେ ଅର୍ଥାତ୍ ଗୁରୁବାର ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟରଙ୍କ ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ ହୋଇଛି। ପ୍ରଥମ ସମ୍ପ୍ରସାରଣରେ ୧୦ଜଣ ମନ୍ତ୍ରୀ ଶପଥ ନେଇଥିବା ସୂଚନା ମିଳଛି। ଏମାନଙ୍କ ମଧ୍ୟରୁ ବିଜେପିର ୮ଜଣ, ଜେଜେପିରୁ ଜଣେ ଓ ନିର୍ଦ୍ଦଳୀୟ ବିଧାୟକ ଜଣେ ରହିଛନ୍ତି। ଏହି ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣରେ ୬ ବିଧାୟକ କ୍ୟାବିନେଟ୍ ମନ୍ତ୍ରୀ ପଦର ଶପଥ ନେଇଛନ୍ତି । ସେହିପରି ୪ ଜଣ ରାଜ୍ୟମନ୍ତ୍ରୀ ରୂପେ ଶପଥ ଗ୍ରହଣ କରିଛନ୍ତି । ଅନିଲ୍ ବିଜ୍, କୁଓ୍ବରପାଲ ଗୁଜ୍ଜର, ମୁଲଚନ୍ଦ୍ର ଶର୍ମା, ଜେପି ଦଲାଲ୍, ବନଓ୍ବାରୀ ଲାଲ୍ ଓ ରଣଜିସ୍ ସିଂହ ଚୌତାଲା କ୍ୟାବିନେଟ୍ ମନ୍ତ୍ରୀ ପଦ ପାଇଥିବାବେଳେ ଓମ୍ ପ୍ରକାଶ ଯାଦବ, କମଲେଶ ଢାଁଢା, ଅନୁପ୍ ଧାନକ ଓ ସନ୍ଦୀପ ସିଂହ ରାଜ୍ୟ ମନ୍ତ୍ରୀ ପଦର ଶପଥ ନେଇଛନ୍ତି । ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ପରେ ପ୍ରଥମେ ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ ମଧ୍ୟରେ ବିଭାଗ ଆବଣ୍ଟନ ହୋଇଛି । ଦୁଷ୍ୟନ୍ତ ଚୌତାଲାଙ୍କୁ ୧୧ ମନ୍ତ୍ରାଳୟ ମିଳିଛି । ଏଥିରେ ରାଜସ୍ବ ଏବଂ ଆକସ୍ମିକ ପରିଚାଳନା, ବହିଶୁଳ୍କ ଓ କର, ଗ୍ରାମୀଣ ବିକାଶ ଏବଂ ପଞ୍ଚାୟତ, ଉଦ୍ୟୋଗ ଏବଂ ବାଣିଜ୍ୟ, ଜନସ୍ବାସ୍ଥ୍ୟ ଅଭିଯାତ୍ରୀକା, ଖାଦ୍ୟ ଯୋଗାଣ ଏବଂ ଉପଭୋକ୍ତା ମାମଲା, ଶ୍ରମ ଏବଂ ରୋଜଗାର, ବିମାନ ଚଳାଚଳ, ପ୍ରତ୍ନତତ୍ତ୍ବ ଓ ସଂଗ୍ରହାଳୟ, ଥଇଥାନ ଓ ଏକତ୍ରୀକରଣ ପ୍ରମୁଖ ସାମିଲ୍ ରହିଛି ।