ରାଜଧାନୀ ଦିଲ୍ଲୀରେ ବଢୁଥିବା ପ୍ରଦୂଷଣ ସମସ୍ୟା ଏବେ ଚିନ୍ତାର ବିଷୟ । ସେଠାରେ ପ୍ରଦୂଷଣ ପାଇଁ ଦିଲ୍ଲୀ ଏନ୍ସିଆର ସ୍କୁଲ ଗୁଡ଼ିକୁ ଛୁଟି ଦିଆଯାଇଛି । ଦୀପାବଳି ପରଠାରୁ ଦିଲ୍ଲୀର ବାୟୁର ଗୁଣବତ୍ତା ସ୍ତର ଅତି ନିମ୍ନମାନକୁ ଖସିଆସିଛି । ଦିଲ୍ଲୀରେ ପ୍ରଦୂଷଣମାତ୍ରାକୁ ଦୃଷ୍ଟିରେ ରଖି ନଭେମ୍ବର ୪ରୁ ୧୫ ପର୍ଯ୍ୟନ୍ତ ଅଡ୍-ଇଭିନ୍ ସ୍କିମ୍ ଯୋଜନା ଲାଗୁ କରାଯାଇଥିଲା । ତେବେ ଦିଲ୍ଲୀର ବାୟୁମଣ୍ଡଳରେ କୌଣସି ପରିବର୍ତ୍ତନ ଘଟିନଥିବାବେଳେ ପ୍ରଦୂଷଣର ମାତ୍ରା ମଧ୍ୟ ସେହିପରି ରହିଛି । ଏହାକୁ ଦୃଷ୍ଟିରେ ରଖି ଅଡ୍-ଇଭିନ୍ ସ୍କିମ୍ର ସମୟସୀମା ବୃଦ୍ଧି କରାଯିବା ନେଇ ଅନୁମାନ କରାଯାଉଛି । ଆଜି ମୁଖ୍ୟମନ୍ତ୍ରୀ କେଜରିୱାଲ ଅଡ ଇଭିନ୍ ସ୍କିମର ସମୟସୀମା ବୃଦ୍ଧି ନେଇ କହିଛନ୍ତି ଯେ, ସମୟସୀମା ବୃଦ୍ଧି ହେବ କି ନାହିଁ ତାହା ସୋମବାର ନିଷ୍ପତ୍ତି ନିଆଯିବ। ତେବେ ଦିଲ୍ଲୀ ଏନସିଆରରେ ପ୍ରଦୂଷଣର ମାତ୍ରା ବୃଦ୍ଧି ନଡା ଜଳାଇବା କାରଣରୁ ହେଉଛି ବୋଲି ସେ କହିଛନ୍ତି। ତେବେ ଦିଲ୍ଲୀର ପ୍ରଦୂଷଣର ମାତ୍ରା କେବଳ ଏନସିଆରରେ ନୁହେଁ ନୋଏଡା, ଗୁରୁଗ୍ରାମ, ଗାଜିୟାବାଦ, ଏବଂ ଅନ୍ୟ ଆଖପାଖ ଅଞ୍ଚଳରେ ସ୍ଥିତି ଗମ୍ଭୀର ରହିଛି।