ପୁଣି ଥରେ ଗାଡ଼ି ଚାଳକଙ୍କ ଚିନ୍ତା ବଢିଲା । ଡିସେମ୍ବର ପହିଲାରୁ ରାଜ୍ୟରେ ପୁଣି କଡ଼ାକଡ଼ି ହେବ ନୂଆ ଟ୍ରାଫିକ ନିୟମ । ପୂର୍ବରୁ ଯେଉଁ ପରିମାଣର ମୋଟ ଅଙ୍କର ଫାଇନ ଆଦାୟ ହେଉଥିଲା ଆଉ କୋହଳ ହେବ ନାହିଁ । ଏନେଇ ବାଣିଜ୍ୟ ଏବଂ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ସୂଚନା ଦେଇଛନ୍ତି ।ନୂଆ ମୋଟର ଯାନ ଆଇନ ଅନୁସାରେ ଆବଶକୀୟ ଗାଡ଼ି କାଗଜପତ୍ର ନଥିଲେ ଗାଡ଼ି ଚାଳକଙ୍କୁ ଭରିବାକୁ ପଡ଼ିବ ମୋଟା ଅଙ୍କର ତଣ୍ଡ । ସେପ୍ଟେମ୍ବର ପହିଲାରୁ ସାରା ଦେଶରେ ସଂଶୋଧିତ ନୂଆ ଟ୍ରାଫିକ ନିୟମ ଲାଗୁ ହେବା ପରେ ରାଜ୍ୟରେ ମଧ୍ୟ କଡ଼ାକଡ଼ି ଭାବେ ପାଳନ କରାଯାଉଥିଲା । କିନ୍ତୁ ମାତ୍ରାଧିକ ଅର୍ଥ ଦଣ୍ଡ ହେତୁ ସାରା ରାଜ୍ୟର ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାଗଜପତ୍ର ପ୍ରସ୍ତୁତ ପାଇଁ ୩ମାସ କୋହଳ କରିବାକୁ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ଯେଉଁ ମୋଟା ଅଙ୍କର ଫାଇନକୁ କୋହଳ କରାଯିବା ନେଇ ଆଲୋଚନା ହେଉଥିଲା ତାହା ଅପରିବର୍ତ୍ତିତ ରହିବ । ଗାଡ଼ି ଚାଳକଙ୍କ ପାଖରେ ଡ୍ରାଇଭିଂ ଲାଇସେନ୍ସ, ହେଲମେଟ, ପଲ୍ୟୁସନ ସାର୍ଟିଫିକେଟ, ଦୁଇଚକିଆ ଗାଡ଼ିରେ ୨ଜଣ ବସିବେ, ହେଲମେଟ, କାର ଚାଳକ ସିଟବେଲ୍ଟ ବାନ୍ଧିବା ଆଦି ଆବଶ୍ୟକ ରହିଛି । ଏ ସମସ୍ତ ନିୟମ ଖିଲାପକାରୀଙ୍କଠାରୁ ଜରିମାନା ଆଦାୟ କରାଯିବ ।