ଆଜିଠାରୁ ଭଗବାନ ବଦ୍ରିନାଥଙ୍କ ଦର୍ଶନ ୬ମାସ ପାଇଁ ବନ୍ଦ ହୋଇଯିବ। ଆଜି ସନ୍ଧ୍ୟା ୫ଟା ୧୩ ମିନିଟ୍ ପରଠାରୁ ୬ ମାସ ବନ୍ଦ ରହିବ । କୁହାଯାଇଥାଏ ଯେ, ବଦ୍ରିନାଥଙ୍କୁ ୬ ମାସ ମନୁଷ୍ୟମାନେ ପୂଜା କରିଥାନ୍ତି ଏବଂ ଆଉ ୬ ମାସ ଦେବତାମାନେ ପୂଜା କରନ୍ତି। ଗ୍ରୀଷ୍ମକାଳରେ ମନୁଷ୍ୟମାନେ ଏଠାରେ ଭଗବାନ ବଦ୍ରିବିଶାଳଙ୍କ ପୂଜା କରୁଥିବା ବେଳେ ଶୀତଋତୁରେ ଦେବତାମାନେ ପୂଜାର୍ଚ୍ଚନା କରିଥାନ୍ତି। ଭଗବାନ ବଦ୍ରିନାଥଙ୍କ କବାଟ ନଭେମ୍ବର ୧୭ ସନ୍ଧ୍ୟା ୫ଟା ୧୩ ମିନିଟରୁ ଆଗାମୀ ୬ ମାସ ପାଇଁ ବନ୍ଦ ରହିବ। ଏଥିପାଇଁ ରବିବାର ବଦ୍ରିନାଥଙ୍କ ଶୀତଋତୁ ପାଇଁ ଅନ୍ତିମ ଦର୍ଶନ ମିଳିପାରିବ। ଏଥିପାଇଁ ଶନିବାର ଭଗବାନ ବଦ୍ରିନାଥ ଧାମକୁ ୫୫ କୁଇଣ୍ଟାଲ ଫୁଲରେ ସଜା ଯାଇଛି। ଭଗବାନଙ୍କ ଅନ୍ତିମ ଦର୍ଶନ ପାଇଁ ବହୁ ଦୂରରୁ ଶ୍ରଦ୍ଧାଳୁମାନେ ଆସିଛନ୍ତି। ପୂରା ଦିନ କବାଟ ଖୋଲା ରହିବ। ଅପରାହ୍ଣରେ ଭୋଗ ଲାଗିବା ପରେ ସନ୍ଧ୍ୟାରେ କବାଟ ବନ୍ଦ କରି ଦିଆଯିବ। ଚଳିତ ବର୍ଷ ବଦ୍ରିନାଥ ନୂଆ ରେକର୍ଡ ସୃଷ୍ଟି କରିଛି। ଏହି ଧାମକୁ ୧୨ ଲକ୍ଷ ୨୫ ହଜାର ଶ୍ରଦ୍ଧାଳୁ ଆସିଛନ୍ତି, ଯାହାକି ଗତ ବର୍ଷ ତୁଳନାରେ ଅଧିକ ବୋଲି ଜଣାପଡ଼ିଛି।