ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ବିଜେପି ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ କରିଛି । ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ପାର୍ଟି ଅଧ୍ୟକ୍ଷ ଅମିତ ଶାହା, କାର୍ଯ୍ୟକାରୀ ଅଧ୍ୟକ୍ଷ ଜେପି ନଡ୍ଡା, ଓ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସହିତ ଅନେକ ଜଣାଶୁଣା ନେତା ସାମିଲ ଅଛନ୍ତି । ପାର୍ଟି ତରଫରୁ କୁହାଯାଇଛି ଯେ, କେନ୍ଦ୍ର ଗୃହମନ୍ତ୍ରୀ ଓ ବିଜେପି ଅଧ୍ୟକ୍ଷ ଅମିତ ଶାହା ନଭେମ୍ବର ୨୧ରେ ନିର୍ବାଚନ ପ୍ରଚାର ଅଭିଯାନ ଆରମ୍ଭ କରିବେ। ସୂତ୍ର ଅନୁସାରେ ଅମିତ ଶାହା ଝାଡ଼ଖଣ୍ଡରେ ପାଖାପାଖି ୨୦ଟି ରାଲିକୁ ସମ୍ବୋଧିତ କରିବେ । ଏହା ବ୍ୟତୀତ ଅନେକ ବୈଠକରେ ଅଂଶଗ୍ରହଣ କରିବେ । ଶାହା ନଭେମ୍ବର ୨୧ ଓ ୨୫ରେ ରାଲି କରିବେ । ସେହିଭଳି ସେ ଡିସେମ୍ବର ୨, ୫, ୯, ୧୪ ଓ ୧୭ରେ ପ୍ରଚାର କରିବେ । ଏହାରି ଭିତରେ ସେ ଦିନିକୁ ୨ ରୁ ୩ଟି ବୈଠକ ଅଥବା ରାଲିରେ ଯୋଗଦେବେ । ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନରେ ବିଜେପି ପାଇଁ ୮ଟି ରାଲିକୁ ସମ୍ବୋଧିତ କରିବେ । ଏହି ନିର୍ବାଚନରେ ଧାରା ୩୭୦ ଉଚ୍ଚେଦ ସବୁଠାରୁ ବଡ଼ ପ୍ରସଙ୍ଗ ହୋଇପାରେ । ବିଜେପିର ଷ୍ଟାର ପ୍ରଚାରକ ତାଲିକାରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, କେନ୍ଦ୍ରୀୟ ମନ୍ତ୍ରୀ ନିତିନ ଗଡ଼କରୀ, ରବିଶଙ୍କର ପ୍ରସାଦ, ଧର୍ମେନ୍ଦ୍ର ପ୍ରଧାନ, ମୁଖତାର ଅବାସୀ ନକଭୀ, ସ୍ମୃତି ଇରାନୀ, ନିତ୍ୟାନନ୍ଦ ରାୟ, ଅର୍ଜୁନ ମୁଣ୍ଡା ଭଳି ପ୍ରମୁଖ ମନ୍ତ୍ରୀ ସାମିଲ ଅଛନ୍ତି । ସେହିଭଳି ବିଜେପିର ସାଂଗଠନିକ ସଚିବ ବିଏଲ ସନ୍ତୋଷ, ମହାସଚିବ ଅରୁଣ ସିଂହ, ସାଂସଦ ମନୋଜ ତିୱାରୀ, ଅଭିନେତା ଓ ସାଂସଦ ସନୀ ଦେଓଲ, ରବି କିଷାନ ମଧ୍ୟ ପ୍ରଚାର କରିବେ । ରାଜ୍ୟରେ ନଭେମ୍ବର ୩୦ରୁ ଡିସେମ୍ବର ୨୦ ମଧ୍ୟରେ ୫ଯି ପର୍ଯ୍ୟାୟରେ ୮୧ଟି ବଧାନସଭା ନିର୍ବାଚନ ମଣ୍ଡଳୀରେ ମତଦାନ ହେବ ।