ଗଙ୍ଗାକୁ ପ୍ରଦୂଷଣମୁକ୍ତ କରିବାକୁ ସରକାର କଡା କାର୍ଯ୍ୟାନୁଷ୍ଠାନ ନେଇଛନ୍ତି। ଆସନ୍ତାକାଲି ଠାରୁ ସଂସଦରେ ହେବାକୁ ଥିବା ଶୀତକାଳୀନ ଅଧିବେଶନରେ ସରକାର ଗଙ୍ଗା ସଫା ସୁତୁରା ରଖାଯିବା ନେଇ ବିଲ୍ ଆଗତ କରିବେ। ଏହା ସହ ଗଙ୍ଗା ପ୍ରଦୂଷଣ କରୁଥିବା ଲୋକମାନଙ୍କୁ ୫ ବର୍ଷ ଜେଲଦଣ୍ଡ ତଥା ୫୦ ହଜାର ଟଙ୍କାର ଜରିମାନା ବ୍ୟବସ୍ଥା କରାଯାଇପାରେ ବୋଲି ସୂଚନା ମିଳିଛି। ସୂଚନା ମୁତାବକ, ଏନେଇ ଜଳଶକ୍ତି ମନ୍ତ୍ରାଳୟ ବିଲ ପ୍ରସ୍ତୁତ କରି କ୍ୟାବିନେଟରେ ମଞ୍ଜୁରୀ ପାଇଁ ପଠାଇଛି। ଏଥିରେ ବେଆଇନ ନିର୍ମାଣ କାର୍ଯ୍ୟ, ଗଙ୍ଗାରେ କୌଣସି ବିଷାକ୍ତ ଜିନିଷ ନପାକଇବା ପାଇଁ ନିୟମ କରାଯାଇଛି। ଏହି ବିଲରେ କୁହାଯାଇଛି ଯେ, ଯଦି କେହି ବେଆଇନ ଭାବରେ ଗଙ୍ଗାର ଗତି ରୋକିବା ପାଇଁ ଚେଷ୍ଟା କରନ୍ତି ତେବେ ସେମାନଙ୍କ ଉପରେ ଅତି କମରେ ୫୦ କୋଟି ଟଙ୍କାର ଜରିମାନା ଲଗାଯିବ। ଏତଦ୍ ବ୍ୟତୀତ ଯଦି ଗଙ୍ଗା କୂଳରେ କେହି ଘର କିମ୍ଵା ଦୋକାନ ପାଇଁ ଘର ନିର୍ମାଣ କରନ୍ତି ତେବେ ତାଙ୍କୁ ୫ ବର୍ଷର ଜେଲଦଣ୍ଡ ଦିଆଯିବାର ବ୍ୟବସ୍ଥା ରହିଛି । ଏହା ସହ ପ୍ରଧାନମନ୍ତ୍ରୀଙ୍କ ଦେଖାଶୁଣାରେ ଗଙ୍ଗା କାଉନସିଲ ମଧ୍ୟ ତିଆରି କରାଯିବ। ଏହି କାଉନସିଲରେ ପ୍ରଧାନମନ୍ତ୍ରୀଙ୍କ ବ୍ୟତୀତ ଉତ୍ତରାଖଣ୍ଡ, ଝାରଖଣ୍ଡ, ବିହାର, ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ସାମିଲ ରହିବେ।