ସମୀକ୍ଷା ବ୍ୟୁରୋ
ନୌସେନାର ୪୦ତମ ବାର୍ଷିକୀ ଅବସରରେ ଖୋର୍ଦ୍ଧା ଜିଲ୍ଲା ବଡକୂଳ ନିକଟ ପାନ୍ଥନିବାସଠାରେ ଚିଲିକା ନୌବାହିନୀ ଦ୍ବାରା ସ୍ଥାନୀୟ ମତ୍ସ୍ୟଜୀବୀଙ୍କୁ ନେଇ ଏକ ନୌଚାଳନା ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି। ଚିଲିକା ଉନ୍ନୟନ କର୍ତ୍ତୁପକ୍ଷଙ୍କ ସହଯୋଗରେ ଆୟୋଜିତ ଏହି ପ୍ରତିଯୋଗିତାରେ ଆହୁଲା ଓ କାତମରା ପର୍ଯ୍ୟାୟରେ ନୌଚାଳାନା ପ୍ରତିଯୋଗିତା ହୋଇଛି। ଆହୁଲାରେ ୧୦ଟି ଗ୍ରୁପ୍ ଅଂଶଗ୍ରହଣ କରିଥିବାବେଳେ କାତମରାର ୯ଟି ଗ୍ରୁପ୍ ଅଂଶଗ୍ରହଣ କରିଥିଲେ।
କାତମରାରେ ଜୟନ୍ତୀପୁର ପିଏଫ୍ସିଏସ୍ ପ୍ରଥମ ହୋଇଥିବାବେଳେ ମା’ ଚିଲିକାରାଣୀ ଦ୍ବିତୀୟ ଓ ଗଙ୍ଗାଦେବୀ ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ସେହିପରି ଆହୁଲା ପ୍ରତିଯୋଗିତାରେ ମା’ ଉଗ୍ରତାରା, ଶାନ୍ତିନଗର ପ୍ରଥମ ସ୍ଥାନ ଅଧିକାର କରିଥିବାବେଳେ ମା’ କାଳିଜାଇ, ହରିଚାନ୍ଦ ଠାକୁର ଯଥାକ୍ରମେ ଦ୍ବିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଛନ୍ତି ।
ଏହି କାର୍ଯ୍ୟକ୍ରମରେ ନାଭାଲ୍ ଅଫିସର୍ ଇନ୍ ଚାର୍ଜ ଓଡ଼ିଶା କ୍ରମେଡର୍ ଋତୁରାଜ ସାହୁ ମୁଖ୍ୟ ଅତିଥି ରୂପେ ଯୋଗଦେଇଥିବାବେଳେ ବାଲୁଗାଁ ପୋଲିସ୍ ଓ ବନ୍ୟପ୍ରାଣୀ ଜଙ୍ଗଲ ବିଭାଗ ଓ ସିଡିଏ ସହଯୋଗ କରିଛନ୍ତି । ସେହିପରି ସମ୍ମାନିତ ଅତିଥି ଭାବେ ବାଲୁଗାଁ ଆଇଆଇସି ରମାକାନ୍ତ ମାହାଳିକ, ଏସଡିପିଓ ସୁରେଶ ଦାସ ପ୍ରମୁଖ ଉପସ୍ଥିତ ରହିଥିଲେ। ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ଭାରତୀୟ ନୌସେନାର ପୂର୍ବତନ ଜାତୀୟ ଖେଳାଳି ତଥା ନୌଚାଳନା ପ୍ରଶିକ୍ଷକ ବାଣପୁର ବୋରିଗାଁର ରଞ୍ଜିତ ରାଉତରାୟ।