ଅନ୍ତରୀଣ ଡିଜି ଭାବରେ ସତ୍ୟଜିତ୍ ମହାନ୍ତି ଦାୟିତ୍ବ ଗ୍ରହଣ କରିଛନ୍ତି । ଜେଲ୍ ବିଭାଗ ଡିଜି ଥିବା ସତ୍ୟଜିତ୍ ମହାନ୍ତି ପୂର୍ବରୁ ମଧ୍ୟ ପୁଲିସ୍ କମିଶନର ଦାୟିତ୍ବ ତୁଲାଇସାରିଛନ୍ତି । ସତ୍ୟଜିତ୍ ମହାନ୍ତି ବର୍ତ୍ତମାନ ଜେଲ୍ ବିଭାଗ ଡିଜି ଭାବେ କାର୍ଯ୍ୟ କରୁଥିବାବେଳେ ତାଙ୍କୁ ଗୁଇନ୍ଦା ବିଭାଗର ସ୍ବତନ୍ତ୍ର ଡିଜି ଭାବେ ମଧ୍ୟ ନିଯୁକ୍ତି ମିଳିଛି । ରାଜ୍ୟସରକାର ପୁଲିସ୍ ମହାନିର୍ଦ୍ଦେଶକ ବିକେ ଶର୍ମାଙ୍କୁ ବଦଳି କରିବା ପରେ ୧୯୮୬ ବ୍ୟାଚର ଆଇପିଏସ୍ ଅଫିସର ଅଭୟଙ୍କୁ ରାଜ୍ୟର ନୂଆ ପୁଲିସ୍ ଡିଜି ଭାବେ ନିଯୁକ୍ତି ଦେଇଛନ୍ତି । ଏନେଇ ଗୃହ ବିଭାଗ ପକ୍ଷରୁ ଗତକାଲି ବିଜ୍ଞପ୍ତି ପ୍ରକାଶ ପାଇଥିଲା । ନୂଆ ଡିଜିପି ଅଭୟ ବର୍ତ୍ତମାନ କେନ୍ଦ୍ରୀୟ ଡେପୁଟେସନରେ ଅଛନ୍ତି। ହାଇଦ୍ରାବାଦରେ ଜାତୀୟ ପୋଲିସ ଏକାଡେମୀର ସେ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଛନ୍ତି। ସେଠାରୁ ସେ ଦାୟିତ୍ବ ହସ୍ତାନ୍ତର କରିବା ପାଇଁ ପ୍ରାୟ ଏକ ସପ୍ତାହ ଲାଗିଯିବ। ସେଥିପାଇଁ ସରକାର ତୁରନ୍ତ ପଦକ୍ଷେପ ସ୍ବରୁପ ବରିଷ୍ଠ ଆଇପିଏସ ଅଫିସର ସତ୍ୟଜିତ ମହାନ୍ତିଙ୍କୁ ଅସ୍ଥାୟୀ ଡିଜି ଭାବେ ନିଯୁକ୍ତି ଦେଇଛନ୍ତି। ଅଗ୍ନି ନିରାପତ୍ତା ପ୍ରମାଣପତ୍ର ପ୍ରଦାନରେ ବ୍ୟାପକ ଅନିୟମିତତା ଅଭିଯୋଗ ଆସିବା ପରେ ଡିଜିପି ଦାୟିତ୍ୱ ଓ ଅଗ୍ନିଶମ ବିଭାଗ ଡିଜି ପଦରୁ ବିଜୟ କୁମାର ଶର୍ମାଙ୍କୁ ବିଦା ହେବାକୁ ପଡ଼ିଛି। ରାଜ୍ୟ ସରକାର ଏହାର ତଦନ୍ତ ପାଇଁ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିଛନ୍ତି। ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର ଓ ଗୃହ ସଚିବ ଏହି କମିଟିରେ ସଦସ୍ୟ ଅଛନ୍ତି। ବିକେ ଶର୍ମାଙ୍କୁ ଅଗ୍ନିଶମ ଡିଜି ପଦରୁ ଅନ୍ତର କରାଯାଇଥିବାରୁ ତାଙ୍କ ସ୍ଥାନରେ ସୁନୀଲ ରାୟଙ୍କୁ ନିଯୁକ୍ତି ମିଳିଛି ।