ସମୀକ୍ଷା ବ୍ୟୁରୋ
ଶ୍ରୀଲଙ୍କାର ନବନିର୍ବାଚିତ ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷା ନିଜ ବଡ଼ ଭାଇ ତଥା ପୂର୍ବ ରାଷ୍ଟ୍ରପତି ତଥା ପ୍ରଧାନମନ୍ତ୍ରୀ ମହିନ୍ଦ୍ରା ରାଜପକ୍ଷାଙ୍କୁ ପୁନର୍ବାର ଶ୍ରୀଲଙ୍କାର ପ୍ରଧାନମନ୍ତ୍ରୀ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଶ୍ରୀଲଙ୍କା ରାଜନୈତିକ ଇତିହାସରେ ଏହା ପ୍ରଥମ ଥର ନୁହେଁ ଯେ, ଗୋଟିଏ ପରିବାରର ଦୁଇ ସଦସ୍ୟ ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତି ପଦବୀରେ ରହିଛନ୍ତି। ଏହା ପୂର୍ବରୁ ଏଭଳି ଘଟଣା ଘଟିସାରିଛି। ପୂର୍ବ ରାଷ୍ଟ୍ରପତି ଚନ୍ଦ୍ରିକା କୁମାରତୁଙ୍ଗା ନିଜ ମା’ ତଥା ଶ୍ରୀଲଙ୍କାର ବରିଷ୍ଠ ମହିଳା ନେତା ସିରିମାଓ ଭଣ୍ଡାରନାୟେକଙ୍କୁ ପ୍ରଧାନମନ୍ତ୍ରୀ ରୂପେ ନିଯୁକ୍ତ କରିଥିଲେ। ପୂର୍ବରୁ ସିରିମାଓ ଦୁଇ ଦୁଇ ଥର ଶ୍ରୀଲଙ୍କାର ପ୍ରଧାନମନ୍ତ୍ରୀ ଦାୟିତ୍ବରେ ରହିଥିଲେ। ପ୍ରଥମ ଥର ୧୯୬୦ରୁ ୧୯୬୫ ପର୍ଯ୍ୟନ୍ତ ଓ ଦ୍ବିତୀୟ ଥର ୧୯୭୦ରୁ ୧୯୭୭ ପର୍ଯ୍ୟନ୍ତ ଶ୍ରୀଲଙ୍କାର ପ୍ରଧାନମନ୍ତ୍ରୀ ହୋଇଥିଲେ। ସେହିପରି ମହିନ୍ଦ୍ରା ରାଜପକ୍ଷା ୨୦୦୫ରୁ ୨୦୧୫ ମଧ୍ୟରେ ଶ୍ରୀଲଙ୍କାର ରାଷ୍ଟ୍ରପତି ରହିଥିଲେ। ସୂଚନାଯୋଗ୍ୟ ଯେ, ଏହି ସମୟରେ ତାଙ୍କ ଭାଇ ଗୋଟାବାୟା ରାଜପକ୍ଷା ପ୍ରତିରକ୍ଷା ମନ୍ତ୍ରୀ ରହିଥିଲେ।
ପେଶାରେ ଓକିଲ ରହିଥିବାବେଳେ ମହିନ୍ଦ୍ରା ରାଜପକ୍ଷା ୧୯୭୦ରେ ପ୍ରଥମଥର ପାଇଁ ଶ୍ରୀଲଙ୍କା ସଂସଦ ପାଇଁ ମନୋନୀତ ହୋଇଥିଲେ। ସେତେବେଳେ ତାଙ୍କ ବୟସ ମାତ୍ର ୨୫ ବର୍ଷ ଥିଲା। ପ୍ରଥମଥର ପାଇଁ ୨୦୦୪ରେ ପ୍ରଧାନମନ୍ତ୍ରୀ ରୂପେ ନିର୍ବାଚିତ ହୋଇଥିଲେ, ଏବଂ ତା’ ପରବର୍ଷ ରାଷ୍ଟ୍ରପତି ହୋଇଥିଲେ ।