ମୁମ୍ବାଇ, ୨୪/୧୧: ମହାରାଷ୍ଟ୍ର ସରକାରକୁ ନେଇ ରାଜନୈତିକ ଡ୍ରାମାର ଅନ୍ତ ଘଟୁନାହିଁ । ରାଜ୍ୟରେ ମୁଖ୍ୟମନ୍ତ୍ରୀ ଭାବେ ଦେବେନ୍ଦ୍ର ଫଡ୍ନଭୀସ୍ ଶପଥ ଗ୍ରହଣ କରିଥିବାବେଳେ ଏହାକୁ ସୁପ୍ରିମ୍କୋର୍ଟରେ ଚ୍ୟାଲେଞ୍ଜ କରିଛନ୍ତି ଶିବସେନା-ଏନ୍ସିପି-କଂଗ୍ରେସ । ତେବେ ଆଜି ସୁପ୍ରିମ୍କୋର୍ଟର ତିନିଜଣିଆ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିଛନ୍ତି । ଶିବସେନା ତରଫରୁ ବରିଷ୍ଠ ଓକିଲ କପିଲ୍ ଶିବଲ୍ ଲଢୁଥିବାବେଳେ ବିଜେପି ତରଫରୁ ରହିଥିଲେ ମୁକୁଲ ରୋହତଗୀ । ତେବେ ଉଭୟ ଆଇନଜୀବୀଙ୍କ ଯୁକ୍ତି ଶୁଣିବା ପରେ ସୁପ୍ରିମ୍କୋର୍ଟ ଫଡ଼ନାଭିସ, ଅଜିତ ପାଓ୍ୱାର ଏବଂ କେନ୍ଦ୍ରକୁ ନୋଟିସ କରିଛନ୍ତି । ଏହା ସହିତ ରାଜ୍ୟପାଳ ଭଗତ ସିଂ କେଶିୟାରୀଙ୍କଠାରୁ ସରକାର ଗଢିବା ଲାଗି ଆଦେଶ ଓ ସମର୍ଥନ ସମ୍ପର୍କିତ ଦସ୍ତାବିଜ୍ ଲୋଡିଛନ୍ତି। ସରକାର ଗଢ଼ିବା ପାଇଁ ଦେଇଥିବା ଆମନ୍ତ୍ରଣ ବାବଦରେ ତଥ୍ୟ ଦେବାକୁ ସଲିଟର ଜେନେରାଲ ତୁଷାର ମେହେତାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। ଏହି ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା କାଲି ସକାଳ ୧୦.୩୦ରେ ହେବ ବୋଲି ସୁପ୍ରିମ୍କୋର୍ଟ ସୂଚନା ଦେଇଛନ୍ତି । (ଏଜେନ୍ସି)