ମୁମ୍ବାଇ, ୨୪/୧୧: ତାମିଲ୍ ଅଭିନେତ୍ରୀ ତଥା ଲୋକପ୍ରିୟ ରାଜନେତ୍ରୀ ଜୟଲଳିଥାଙ୍କ ଜୀବନୀକୁ ନେଇ ନିର୍ମିତ ଫିଲ୍ମ ‘ଥାଲାଇଭୀ’ର ପ୍ରଥମ ପୋଷ୍ଟର ରିଲିଜ୍ ହୋଇଛି। ଏଥିରେ ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି ବଲିଉଡ୍ କ୍ବିନ୍ କଙ୍ଗନା ରଣାଓ୍ବତ୍। ସବୁବେଳେ ନିଜର ନିଆରା ଅଭିନୟ କରି ବଲିଉଡ୍ରେ ଏକ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଥିବା କଙ୍ଗନାଙ୍କୁ କିନ୍ତୁ ଏହି ଫିଲ୍ମର ପୋଷ୍ଟରରେ ଚିହ୍ନିବା ବଡ଼ ମୁସ୍କିଲ୍ ହୋଇପଡୁଛି। ଏହି ପୋଷ୍ଟରକୁ ଦେଖିଲେ ଜଣା ପଡୁଛି କି ଜୟଲଳିତାଙ୍କ ଭଳି ଦେଖାଯିବାକୁ ନେଇ କଙ୍ଗନା ଖୁବ୍ ପରିଶ୍ରମ କରିଛନ୍ତି। ଏହି ଫିଲ୍ମଟି ତାମିଲ୍ରେ ‘ଥଲାଇବୀ’ ଓ ହିନ୍ଦୀରେ ‘ଜୟା’ ଶୀର୍ଷକରେ ରିଲିଜ୍ ହେବାକୁ ଯାଉଛି। ଏହି ଫିଲ୍ମର ନିର୍ଦ୍ଦେଶନା ଭାର ସମ୍ଭାଳିଛନ୍ତି ବିଜୟ। ଫିଲ୍ମଟିର କାହାଣୀ ଲେଖିଛନ୍ତି ବାହୁବଳୀ ଓ ମଣିକର୍ଣ୍ଣିକାର ଲେଖକ ବିଜୟେନ୍ଦ୍ର ପ୍ରସାଦ। ଫିଲ୍ମଟି ୨୦୨୦ ମସିହା ଜୁନ୍ ୨୬ରେ ପରଦାକୁ ଆସିବାର ଲକ୍ଷ୍ୟ ରହିଛି। (ଏଜେନ୍ସି)