ବାଣପୁର, ୨୫/୧୧: (ସମୀକ୍ଷାବ୍ୟୁରୋ) : ବାଣପୁର ଥାନା ଅନ୍ତର୍ଗତ ତୁମୁରାପୁଟ ପଞ୍ଚାୟତର ରତନପୁରର ଗ୍ରାମର ସସ୍ମିତା ବେହେରା ନାମ୍ନୀ ଜଣେ ମହିଳାଙ୍କୁ ଯୌତୁକ ନିର୍ଯାତନା ମାମଲାରେ ପୋଲିସ୍ ତାଙ୍କ ସ୍ବାମୀ ଓ ଶଶୁରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ମହିଳାଜଣକ ବାଣପୁର ଥାନାରେ ଏନେଇ ଲିଖିତ ଅଭିଯୋଗ କରିଥିଲେ । ସୂଚନାଯୋଗ୍ୟ, ଖଲ୍ଲିକୋଟ ଥାନା ଅନ୍ତର୍ଗତ ସିଧାପଲ୍ଲି ଗ୍ରାମର ସସ୍ମିତା ବାଣପୁରର ତୁମୁରାପୁଟ ପଞ୍ଚାୟତର ରତନପୁର ନିବାସୀ ପ୍ରଦୀପ ବେହେରାଙ୍କୁ ଗତ ଦେଢ ବର୍ଷ ତଳେ ବିବାହ କରିଥିଲେ। ବିଭାଘରର ଏତେ ଦିନ ପରେ ବି ତାଙ୍କ ସ୍ବାମୀ ପ୍ରଦୀପ ବେହେରା (୨୫ ବର୍ଷ), ତାଙ୍କ ଶଶୁର ଦେବରାଜ ବେହେରା (୫୮ ବର୍ଷ) ଯୌତୁକ ନେଇ ଅନେକ ନିର୍ଯାତନା ଦେବା ସହ ମାଡ଼ ମଧ୍ୟ ମାରୁଥିଲେ। ଅତ୍ୟାଚାରରେ ଅତିଷ୍ଠ ହୋଇ ସସ୍ମିତା ଘର ଛାଡି ବାଣପୁର ଥାନାରେ ଅଭିଯୋଗ କରିଥିଲେ । ବାଣପୁର ଥାନା ଏଏସ୍ଆଇ ନମିତା କୁମାରୀ ନାଏକ ଏହି ଅଭିଯୋଗକୁ ୩୩୦/୧୯ କେଶ ନମ୍ବରରେ ମାମଲାକୁ ଦାଏର କରି ଅଭିଯୁକ୍ତଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ଘରୋଇ ହିଂସା ତଥା ଯୌତୁକ ଦାବି ନେଇ ମାଡ଼ ମାରିବା ଓ ନିର୍ଯାତନା ଦେବା ଅଭିଯୋଗରେ ଉଭୟଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ଦୁହିଁଙ୍କ ବିରୋଧରେ ଭାରତୀୟ ପିଙ୍ଗଳକୋଡ ଅନୁଯାୟୀ ୪୯୮(କ), ୩୨୩, ୩୫୪, ୨୯୪, ୫୦୬, ୩୪ ଆଦି ଦଫା ଲଗାଇ ତାଙ୍କୁ କୋର୍ଟ ଚାଲାଣ କରାଯାଇଛି।