ମୁମ୍ବାଇ, ୨୬/୧୧: ମହାରାଷ୍ଟ୍ରର ରାଜନୀତିରେ ଘଡିକେ ଘୋଡା ଛୁଟୁଛି। ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଦେବେନ୍ଦ୍ର ଫଡ୍ନଭୀସ୍। ଅପରାହ୍ନ ୩ଟା୩୦ରେ ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ସେ ଏହା ଘୋଷଣା କରିବା ସହିତ ନୂତନ ସରକାରକୁ ଶୁଭେଚ୍ଛା ପ୍ରଦାନ କରିଛନ୍ତି। ମଙ୍ଗଳବାର ସନ୍ଧ୍ୟାରେ ସେ ରାଜ୍ୟପାଳଙ୍କୁ ଭେଟି ତାଙ୍କ ଇସ୍ତଫା ପତ୍ର ପ୍ରଦାନ କରିବେ ବୋଲି କହିଛନ୍ତି। ସୁପ୍ରିମ୍କୋର୍ଟଙ୍କ ରାୟ ପରେ ଉପମୁଖ୍ୟମନ୍ତ୍ରୀ ପଦରୁ ଏନସିପି ନେତା ଅଜିତ୍ ପାଓ୍ବାରା ଉପମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ଅଜିତ୍ ପାଓ୍ବାରାଙ୍କ ଇସ୍ତଫା ଦେବା ପରେ ମହାରାଷ୍ଟ୍ରର ବିଜେପି ନେତୃତ୍ୱାଧିନ ସରକାର ଏବେ ଭାଙ୍ଗି ଯାଇଛି। ଅନ୍ୟପଟେ ଶିବସେନା, ଏନ୍ସିପି ଓ କଂଗ୍ରେସ ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେବାକୁ ଚାହିଁ ବସିଛନ୍ତି। ଗତକାଲି ମୁମ୍ବାଇର ଗ୍ରାଣ୍ଡ ହୟାତ୍ ହୋଟେଲ୍ରେ ୧୬୨ ବିଧାୟକଙ୍କ ପ୍ୟାରେଡ୍ ପ୍ରଦର୍ଶନ କରିଥିଲେ ଶିବସେନା। ଚଳିତ ବିଧାନସଭା ନିର୍ବାଚନରେ ବିଜେପି-ଶିବସେନା ମେଣ୍ଟ ଜନାଦେଶ ପାଇଥିବା ସତ୍ତ୍ବେ ଆସନ ବୁଝାମଣାକୁ ନେଇ ଉଭୟଙ୍କ ମେଣ୍ଟ ଭାଙ୍ଗିଯାଇଥିଲା। ଏବେ ମହାରାଷ୍ଟ୍ରରେ ଶିବସେନା-କଂଗ୍ରେସ-ଏନ୍ସିପି ସରକାର ଗଠନ କରିବା ନେଇ ଉତ୍ସାହିତ ରହିଛନ୍ତି। (ଏଜେନ୍ସି)