
ସମୀକ୍ଷା ବ୍ୟୁରୋ,
ଭୁବନେଶ୍ବର,14/12 :
ଜଙ୍ଗଲ ଅଧିକାର ଆଇନ ୨୦୦୬ ରେ ଜମି, ଜଙ୍ଗଲ ଓ ପ୍ରକୃତିକ ସମ୍ପଦ ଉପରେ ମହିଳାଙ୍କର ସମାନ ଅଧିକାରକୁ ନେଇ ୧୦ ଦଫା ସମ୍ବଳିତ ଦାବି ନେଇ ଆଦିବାସୀ ମହିଳା ସଂଗଠନ ପ୍ରତିନିଧିମାନେ ଆଜି ରାଜ୍ୟପାଳ ଗଣେଶୀ ଲାଲଙ୍କୁ ଭେଟିଛନ୍ତି। ଏହି ପ୍ରତିନିଧି ମଣ୍ଡଳୀରେ ଗୁଜୁରାଟ, ଛତିଶଗଡ ଓ ଓଡିଶାରୁ ମହିଳା ପ୍ରତିନିଧି ମାନେ ଯୋଗ ଦେଇଥିଲେ। ଅକ୍ସଫାମ ଇଣ୍ଡିଆ ଓ ଅନ୍ୟ ସହଯୋଗୀ ଅନୁଷ୍ଠାନ ମାନଙ୍କ ତରଫରୁ ଭୁବନେଶ୍ବର ଠାରେ ଆୟୋଜିତ ଦୁଇ ଦିନିଆ ଜାତୀୟ ସ୍ତରୀୟ ମହିଳା ଓ ବନ ଅଧିକାର କାର୍ଯ୍ୟକ୍ରମରେ ଦେଶର ୮ ଟି ରାଜ୍ୟ ରୁ ଆସିଥିବା ୨୫୦ ରୁ ଅଧିକ ମହିଳା ଏ ବିଷୟରେ ଆଲୋଚନା କରିବା ସହ ସେମାନେ ସମ୍ମୁଖିନ ହେଉଥିବା ବିଭିନ୍ନ ସମସ୍ୟା ଗୁଡିକ ଉପରେ ଆଲୋଚନା କରିଥିଲେ।
ଜଙ୍ଗଲ ସୁରକ୍ଷା ଓ ପରିଚାଳନା କ୍ଷେତ୍ରରେ ମହିଳା ମାନଙ୍କର ଯଥେଷ୍ଟ ଯୋଗଦାନ ଥିଲେ ମଧ୍ୟ ଜଙ୍ଗଲ ଜମି ପଟ୍ଟା ପାଇବା କ୍ଷେତ୍ରରେ ମହିଳା ମାନେ ଏବେ ମଧ୍ୟ ସମାନ ଅଧିକାର ପାଇବାରୁ ବଞ୍ଚିତ ହେଉଛନ୍ତି ବୋଲି ଜାତୀୟ ଅଧିବେଶନରେ ମତ ପ୍ରକାଶ ପାଇଛି। ଜାତୀୟ ଅଧିବେଶନର ପ୍ରଥମ ଦିବସରେ ରାଜ୍ୟ ସୂଚନା କମିଶନର ଶଶି ପ୍ରଭା ବିନ୍ଧାଣି , ସ୍ଵତନ୍ତ୍ର ଉନ୍ନୟନ ପରିଷଦର ଉପଦେଷ୍ଟା ସୁଜିତ କୁମାର , ଆଦିବାସୀ ଏକଟା ମଞ୍ଚାର ଅନ୍ନ କୁଜୁର ଯୋଗ ଦେଇ ମହିଳା ମାନଙ୍କର ଜଙ୍ଗଲ ଅଧିକାର ଆଇନ ଉପରେ ଗୁରୁତ୍ଵ ଦେଇ ଥିଲେ।