ନୂଆଦିଲ୍ଲୀ, 17/12: ବହୁ ଚର୍ଚ୍ଚିତ ନିର୍ଭୟା ମାମଲା ଶୁଣାଣିରୁ ସୁପ୍ରିମ୍କୋର୍ଟର ପ୍ରଧାନ ବିଚାରପତି ଶରଦ ଅରବିନ୍ଦ ବୋବେଡ ଏହି ଖଣ୍ଡପୀଠରୁ ଓହରିଛନ୍ତି । ନିର୍ଭୟାକାଣ୍ଡର ୪ ଦୋଷୀଙ୍କ ମଧ୍ୟରୁ ଜଣେ ଅକ୍ଷୟ ଠାକୁରର ପୁନର୍ବିଚାର ଯାଚିକା ଉପରେ ଶୁଣାଣିକୁ ସୁପ୍ରିମକୋର୍ଟ ସ୍ଥଗିତ ରଖିଛନ୍ତି। ପ୍ରଧାନ ବିଚାରପତି ଏସ.ଏ. ବୋବଡ଼େ ଦୋଷୀର ଯାଚିକା ଉପରେ ଶୁଣାଣି କରୁଥିବା ସାମ୍ବିଧାନିକ ଖଣ୍ଡପୀଠରୁ ଓହରି ଯାଇଛନ୍ତି। ସିଜେଆଇ ବୋବଡ଼େ, ଜଷ୍ଟିସ ଅଶୋକ ଭୂଷଣ ଓ ଜଷ୍ଟିସ ଆର. ଭାନୁମତୀଙ୍କ ପୀଠ ନିର୍ଭୟା ମାମଲାରେ ମଙ୍ଗଳବାର ଦୋଷୀ ଅକ୍ଷୟର ପୁନର୍ବିଚାର ଯାଚିକାର ଶୁଣାଣି କରିଛନ୍ତି। ଏବେ ମାମଲାର ଶୁଣାଣି ପାଇଁ ବୁଧବାର ପୂର୍ବାହ୍ନ ୧୦ଟା ୩୦ରେ ନୂତନ ପୀଠ ଗଠନ ହେବ। ପ୍ରଧାନ ବିଚାରପତିଙ୍କ ଝିଆରୀ ମାମଲାରେ ନିର୍ଭୟା ପରିବାରଙ୍କ ପକ୍ଷରୁ କେସ୍ ଲଢୁଥିବାରୁ ପ୍ରଧାନ ବିଚାରପତି ପୀଠରୁ ନିଜକୁ ଅଲଗା କରିଛନ୍ତି।
ଅପରପକ୍ଷେ ନିର୍ଭୟାଙ୍କ ମା ଦୋଷୀ ଅକ୍ଷୟ ଠାକୁର ଦାଖଲ କରିଥିବା ସମୀକ୍ଷା ଆବେଦନ ବିରୋଧରେ ସୁପ୍ରିମକୋର୍ଟରେ ଯାଚିକା ଦାଖଲ କରିଛନ୍ତି। ନିର୍ଭୟାଙ୍କ ମା ଦୋଷୀର ପୁନର୍ବିଚାର ଯାଚିକାକୁ ଖାରଜ କରିବାକୁ ଅପିଲ କରି କହିଛନ୍ତି ଯେ, ଏହା ଫାଶି ଦଣ୍ଡାଦେଶକୁ ବିଳମ୍ବିତ କରିବା ପାଇଁ ଦାଖଲ କରାଯାଇଛି। ଦୋଷୀଙ୍କୁ ଅତି ଶୀଘ୍ର ଫାଶି ହେବା ଉଚିତ୍ ଏବଂ ଏଥିରେ ବିଳମ୍ବ ହେବା ଉଚିତ୍ ନୁହଁ। (ଏଜେନ୍ସି)