କଟକ, 19/12: ଆସନ୍ତା କାଲି କଟକର ବାରବାଟୀଠାରେ ହେବାକୁ ଥିବା ଭାରତ- ଓ୍ବେଷ୍ଟଇଣ୍ଡିଜ୍ ଦିନିକିଆ ଶୃଙ୍ଖଳର ଅନ୍ତିମ ମ୍ୟାଚ୍ ପାଇଁ କମିଶନରେଟ୍ ପୁଲିସ ପକ୍ଷରୁ ପାର୍କିଂ ପାଇଁ ବ୍ୟବସ୍ଥା କରାଯାଇଛି। ମାତାମଠ ଦେଇ ରିଂ ରୋଡରେ ଆସୁଥିବା ଗାଡିଗୁଡିକ ତଳ ବାଲିଯାତ୍ରା ପଡ଼ିଆରେ ପାର୍କିଂ କରିପାରିବେ। ହାଓଡା ମୋଟର ଛକ ଓ ମଣିସାହୁ ଛକ ପଟୁ ଆସୁଥିବା ଗାଡିଗୁଡିକ ରିଂ ରୋଡ୍ରେ ଯାଇ ତଳ ବାଲିଯାତ୍ରା ପଡିଆରେ ପାର୍କିଂ କରିପାରିବେ। ଚହଟାଛକ ପଟୁ ଆସୁଥିବା ଗାଡିଗୁଡିକ କାର୍ତ୍ତିକେଶ୍ୱର ଗଡାରେ ତଳ ବାଲିଯାତ୍ରା ପଡିଆରେ ପାର୍କିଂ କରିପାରିବେ। କନିକା ଛକ, ବିଜୁ ପଟ୍ଟନାୟକ ଛକ ଓ ମଧୁସୂଦନ ନଗର ଛକ ପଟୁ ଆସୁଥିବା ଗାଡିଗୁଡିକ ଆନନ୍ଦଭବନ ପଡିଆରେ ପାର୍କିଂ କରିପାରିବେ। ଚଣ୍ଡୀ ଛକ ଓ କଳାବିକାଶ କେନ୍ଦ୍ର ପଟୁ ଆସୁଥିବା ଗାଡିଗୁଡିକ ଦୟାଶ୍ରମ ସାମ୍ନା ପଡିଆରେ ପାର୍କିଂ କରିବେ। ସେହିପରି ଓସିଏ ପାର୍କିଂ ପାସ୍ ପାଇଥିବା ବ୍ୟକ୍ତି ମଧୁସୂଦନ ଷ୍ଟାଚୁ କିମ୍ବା ନାରୀସେବା ସଦନ ଛକ ଦେଇ ଓସିଏ ପଡିଆରେ ପାର୍କିଂ କରିବେ। ଜାଭିଅର ଗ୍ରାଉଣ୍ଡ ପାସ୍ ପାଇଥିବା ବ୍ୟକ୍ତି ଗେଟ୍ ନମ୍ବର ୧୪ରେ ଯାଇ ପଡ଼ିଆରେ ପାର୍କିଂ କରିବେ। ସେହିପରି ସୁରକ୍ଷା ଦୃଷ୍ଟିରୁ ଏହି ମ୍ୟାଚ୍ ପାଇଁ 80 ଫ୍ଲାଟୁନ୍ ପୋଲିସ୍ ମୂତୟନ କରାଯାଇଛି । (ଏଜେନ୍ସି)