ହାଇଦ୍ରାବାଦ, 21/12 : ତେଲେଙ୍ଗାନା ହାଇକୋର୍ଟ ଭେଟେନାରୀ ଡାକ୍ତରଙ୍କୁ ଗଣଦୁଷ୍କର୍ମ ଓ ହତ୍ୟା ଘଟଣାରେ 4 ଅଭିଯୁକ୍ତଙ୍କୁ ଏନ୍କାଉଣ୍ଟର ଘଟଣାରେ ପୁନଃ ସେହି ଅଭିଯୁକ୍ତଙ୍କ ଶବକୁ ବ୍ୟବଚ୍ଛେଦ କରିବା ପାଇଁ ଆଦେଶ ଦେଇଛନ୍ତି। ତେଲେଙ୍ଗାନା ହାଇକୋର୍ଟର ଶୁଣାଣି ପରେ ଗାନ୍ଧି ହସ୍ପିଟାଲ୍ରେ ରଖାଯାଇଥିବା ସଂରକ୍ଷିତ ଚାରି ଶବକୁ ପୁଣିଥରେ ବ୍ୟବଚ୍ଛେଦ କରିବା ପାଇଁ ଆଦେଶ ଦିଆଯାଇଛି। ଡିସେମ୍ବର 23 ତାରିଖ ସନ୍ଧ୍ୟା 5 ଘଟିକା ଭିତରେ ଏହି ଶବ ବ୍ୟବଚ୍ଛେଦ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏହି ସମସ୍ତଘଟଣାର ଭିଡିଓ ରେକର୍ଡିଂ ମଧ୍ୟ କରିବା ପାଇଁ ମଧ୍ୟ କୁହାଯାଇଛି। ଏହାସହିତ ମିଳିଥିବା ପ୍ରମାଣକୁ ସିଲ୍ଡ କଭରରେ ସୁରକ୍ଷିତ ରଖାଯାଇଛି । ଶବ ବ୍ୟବଚ୍ଛେଦ ପରେ ଚାରି ଅଭିଯୁକ୍ତଙ୍କ ଶବକୁ ପୋଲିସ୍ ସାମ୍ନାରେ ସୁରକ୍ଷିତ ଭାବରେ ପରିଜନଙ୍କୁ ହସ୍ତାନ୍ତର କରାଯିବ ବୋଲି ହାଇକୋର୍ଟ ଆଦେଶ ଦେଇଛନ୍ତି। ସୂଚନାଯୋଗ୍ୟ, 25 ବର୍ଷୀୟ ମହିଳା ପଶୁ ଚିକିତ୍ସିକାଙ୍କୁ ଗଣଦୁଷ୍କର୍ମ ଓ ହତ୍ୟା ଘଟଣାରେ ଅଭିଯୁକ୍ତ ସମସ୍ତ ଚାରିଜଣଙ୍କୁ ଡିସେମ୍ବର 6 ତାରିଖରେ ସମ୍ପୃକ୍ତ ଜାଗାରେ ସିନ୍ ରିକ୍ରିଏଟ କରିବା ସମୟରେ ସେମାନେ ଖସି ପଳାଇ ଯିବାକୁ ଚେଷ୍ଟା କରିଥିଲେ। ଏହାସହ ପୋଲିସ ଉପରକୁ ଆକ୍ରମଣ ମଧ୍ୟ କରିଥିଲେ। ଫଳରେ ହାଇଦ୍ରାବାଦ ପୋଲିସ ଏନ୍କାଉଣ୍ଟର କରିବାରୁ ଘଟଣାସ୍ଥଳରେ ୪ ଜଣଙ୍କର ମୃତ୍ୟୁ ହୋଇଥିଲା। ମହିଳା ଡାକ୍ତରଙ୍କୁ ଗଣଦୁଷ୍କର୍ମ କରିବା ସହିତ ଜାଳିଦେଇଥିବା ଅଭିଯୋଗରେ ସମ୍ପୃକ୍ତ ଚାରି ଅଭିଯୁକ୍ତଙ୍କୁ ନଭେମ୍ବର 29 ତାରିଖରେ ଗିରଫ କରାଯାଇଥିଲା। (ଏଜେନ୍ସି)