ପାଟନା, 23/12: ଝାଡଖଣ୍ଡ ବିଧାନସଭାର ଫଳାଫଳ ଆଉ କିଛି ସମୟ ପରେ ସ୍ପଷ୍ଟ ହେବ। ତେବେ ଆସିଥିବା ଫଳାଫଳକୁ ଦେଖିଲେ ବିଜେପି ହାତର ଝାଡଖଣ୍ଡ ଖସି ଯାଇଥିବାର ଜଣାଯାଇଛି। ରାଜ୍ୟରେ ମହାମେଣ୍ଟ ସରକାର ଗଢିବାକୁ ଅଗ୍ରସର ହେଉଛି । ଝାଡଖଣ୍ଡରେ ବିଜେପିର ପରାଜୟକୁ ନେଇ ଆରଜେଡି ବେଶ୍ ଉତ୍ସାହିତ ରହିଛି। ଏବେ ଆରଜେଡିର ତେଜପ୍ରତାପ ଯାଦବ ଟୁଇଟ୍ କରି ମହାମେଣ୍ଟର ପ୍ରାର୍ଥୀଙ୍କୁ ଶୁଭେଚ୍ଛା ଜଣାଇବା ସହ ମହାମେଣ୍ଟର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେମନ୍ତ ସୋରେନଙ୍କ ସହ ଏକ ଫଟୋକୁ ମଧ୍ୟ ସେୟାର କରିଛନ୍ତି । ତେଜପ୍ରତାପ ଟୁଇଟ୍ କରି ଲେଖିଛନ୍ତି ଯେ, ବିଜେପିର ଅହଂକାରର ଲଙ୍କାରେ ନିଆଁ ଲଗାଇଥିବା ଝାଡଖଣ୍ଡର ସମସ୍ତ ମତଦାତାଙ୍କୁ ଧନ୍ୟବାଦ। ସୂଚନାଯୋଗ୍ୟ ଚଳିତ ଥର ଝାଡଖଣ୍ଡ ନିର୍ବାଚନରେ ଆରଜେଡି ଜେଏମଏମ୍ ସହ ମିଶିକରି ନିର୍ବାଚନ ଲଢିଛି। (ଏଜେନ୍ସି)