ଝାଡଖଣ୍ଡ, 24/12: ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମଏମ୍)ର କାର୍ଯ୍ୟକାରୀ ଅଧ୍ୟକ୍ଷ ହେମନ୍ତ ସୋରେନ୍ ଆଜି ରାତ୍ର 8 ଘଟିକାରେ ରାଜ୍ୟପାଳ ଦ୍ରୌପଦୀ ମୁର୍ମୁଙ୍କ ସାକ୍ଷାତ କରି ସରକାର ପାଇଁ ଦାବି ଉପସ୍ଥାପନ କରିବେ। ଦାବି ଉପସ୍ଥାପନ ପୂର୍ବରୁ କଂଗ୍ରେସ-ଜେଏମଏମ୍-ଆରଜେଡିର ଏକ ବୈଠକ ଅନୁଷ୍ଠିତ ହେବ। ଏହି ବୈଠକରେ ମେଣ୍ଟର ସମସ୍ତ ବିଧାୟକ ଉପସ୍ଥିତ ରହିବେ। ସୋରେନ୍ଙ୍କୁ ଜେଏମଏମ ବିଧାୟକ ଦଳର ନେତା ନିର୍ବାଚିତ କରାଯାଇଛି।
ସୋରେନ୍ ଡିସେମ୍ବର 27ରେ ମୋରହାବାଦୀ ମଇଦାନଠାରେ ମୁଖ୍ୟମନ୍ତ୍ରୀ ପଦବୀର ଶପଥ ନେବେ। ହେମନ୍ତ ସୋରେନ୍ଙ୍କୁ ବାବୁଲାଲ୍ ମାରାଣ୍ଡିଙ୍କ ଦଳ ଝାଡଖଣ୍ଡ ବିକାଶ ମୋର୍ଚ୍ଚା (ଜେବିଏମ୍)ର ସମର୍ଥନ ମଧ୍ୟ ମିଳିଛି। ଦଳ ତରଫରୁ ନୂତନ ସରକାରକୁ ବିନା ସର୍ତ୍ତରେ ସମର୍ଥନ କରିବା ନେଇ ଘୋଷଣା କରାଯାଇଛି । ଆଜି ହେମନ୍ତ ସୋରେନ୍ ବାବୁଲାଲ ମାରାଣ୍ଡିଙ୍କ ସହ ସାକ୍ଷାତ କରିଥିଲେ। 81 ଆସନ ବିଶିଷ୍ଟ ଝାଡଖଣ୍ଡ ବିଧାନସଭା ନିର୍ବାଚନରେ ଜେଏମଏମ 30ଟି କଂଗ୍ରେସ 16ଟି ଓ ଆରଜେଡି ଗୋଟିଏ ଆସନ ମିଳିଛି । ବିଗତ ପାଞ୍ଚ ବର୍ଷ ଧରି କ୍ଷମତାରେ ରହିଥିବା ବିଜେପିକୁ ମାତ୍ର 25ଟି ଆସନ ମିଳିଛି