ନୂଆଦିଲ୍ଲୀ, 26/12: ହିନ୍ଦି ସାହିତ୍ୟର ପ୍ରସିଦ୍ଧ ସାହିତ୍ୟିକ ଗଙ୍ଗା ପ୍ରସାଦ ବିମଳଙ୍କ ଶ୍ରୀଲଙ୍କାରେ ଏକ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୋଇଛି। ମିଳିଥିବା ସୂଚନା ଅନୁସାରେ ସୋମବାର ଦକ୍ଷିଣ କୁରୁନ୍ଦୁଗାହେତେକମା ଅଞ୍ଚଳରେ ଏକ ଭ୍ୟାନ ସହିତ ଟ୍ରକ ଧକ୍କା ହେବାରୁ ଦୁର୍ଘଟଣା ଘଟିଥିଲା। ଦୁର୍ଘଟଣା ସମୟରେ ବିମଳ ନିଜ ପରିବାର ଲୋକଙ୍କ ସହିତ ଭ୍ୟାନରେ ବସିଥିଲେ । ଦୁର୍ଘଟଣାରେ ତାଙ୍କ ପରିବାରର 2 ଜଣ ସଦସ୍ୟ ଓ ଭ୍ୟାନର ଚାଳକଙ୍କ ମୃତ୍ୟୁ ହୋଇଛ।ମୃତ୍ୟୁ ବେଳକୁ ବିମଳଙ୍କୁ 80 ବର୍ଷ ବୟସ ହୋଇଥିଲା। ଜବାହରଲାଲ ନେହରୁ ବିଶ୍ୱବିଦ୍ୟାଳୟ, ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଓ କେନ୍ଦ୍ରୀୟ ହିନ୍ଦି ପ୍ରତିଷ୍ଠାନ ସମେତ ଅନ୍ୟ ସଂସ୍ଥାରେ ପ୍ରମୁଖ ଦାୟିତ୍ୱ ତୁଲାଇଛନ୍ତି । ଜଣେ କବି, ସମୀକ୍ଷକ ଓ ଅନୁବାଦକ ଭାବେ ବେଶ୍ ପରିଚିତ ଥିଲେ ଗଙ୍ଗାପ୍ରସାଦ ବିମଳ। 1939 ମସିହାରା ଉତ୍ତରାଖଣ୍ଡର ଉତ୍ତରକାଶୀରେ ଜନ୍ମଗ୍ରହଣ କରିଥିଲେ ସେ। ତାଙ୍କର ପ୍ରସିଦ୍ଧ କବିତାଗୁଡ଼ିକ ମଧ୍ୟରେ ରହିଛି ବୋଧୀ ବୃକ୍ଷ, ଇତନା କୁଛ, ସନ୍ନାଟେ ସେ ମୁଠଭେଡ, ମେ ୱାହାଁ ହୁଁ ଆଦି । କେବଳ କବିତା ନୁହେଁ କିଛି ଗପ, ଆଲୋଚନା ଓ ନାଟକ ମଧ୍ୟ ସେ ଲେଖିଛନ୍ତି । ତାଙ୍କ ମୃତ୍ୟୁରେ ସାହିତ୍ୟ ଜଗତରେ ଏକ ଶୋକର ଛାୟା ଖେଳିଯାଇଛି। ତେବେ ତାଙ୍କ ମୃତ୍ୟୁ ଶରୀର ଭାରତକୁ ଏ ପର୍ଯ୍ୟନ୍ତ ଆସିପାରିନାହିଁ ।