ବିହାରରେ ବିଜେପି-ଜେଡିୟୁ ବାକ୍‌ଯୁଦ୍ଧ

Published: Dec 31, 2019, 4:01 pm IST

ପାଟନା,31/12 : ବିହାରରେ ଦୁଇ ସହଯୋଗୀ ଦଳ ବିଜେପି ଏବଂ ଜେଡିୟୁ ମଧ୍ୟରେ ବାକ୍‌ଯୁଦ୍ଧ ଆରମ୍ଭ ହୋଇଛି । ବିହାର ଉପ ମୁଖ୍ୟମନ୍ତ୍ରୀ ସୁଶୀଲ ମୋଦି ଏବଂ ପ୍ରଶାନ୍ତ କିଶୋରଙ୍କ ମଧ୍ୟରେ ଏହି ବାକ୍‌ଯୁଦ୍ଧ ମଙ୍ଗଳବାର ଆରମ୍ଭ ହୋଇଛି । ଉପ ମୁଖ୍ୟମନ୍ତ୍ରୀ ସୁଶୀଲ ମୋଦି ପ୍ରଥମେ କିଶୋରଙ୍କୁ ଆକ୍ରମଣ କରିଥିବା ବେଳେ କିଶୋର ଏହାର ଯବାବ ଦେଇଛନ୍ତି । ଲାଭ ପାଇଁ ରାଜନୀତିର ବ୍ୟବସାୟ କରୁଥିବା ନେତା କେବ ଦେଶର ହିତ ପାଇଁ ଚିନ୍ତା କରିପାରିବେ ନାହିଁ ବୋଲି ମୋଦି ମତ ଦେଇଥିଲେ । ମୋଦି କାହାର ନାମ ନେଇନଥିଲେ ମଧ୍ୟ ପରୋକ୍ଷରେ ପ୍ରଶାନ୍ତ କିଶୋରଙ୍କ ଆଡକୁ ପରୋକ୍ଷରେ ଇଙ୍ଗିତ କରିଥିଲେ । ଏହାପରେ କିଶୋର ଏହାର ଜବାବ ଦେବା ସହିତ ସୁଶୀଲ ମୋଦିଙ୍କୁ ସମାଲୋଚନା କରିଥିଲେ । କିଶୋର କହିଥିଲେ ବିହାରର ଜନତା ଆପଣଙ୍କୁ ପ୍ରତ୍ୟାଖ୍ୟାନ କରିଥିଲେ । ମେଣ୍ଟ ସରକାର ଭାଙ୍ଗିନଥିଲେ ବିଜେପି ସରକାର ଗଠନର ସୁଯୋଗ ପାଇନଥାନ୍ତା କି ସୁଶୀଲ ମୋଦି ଉପ ମୁଖ୍ୟମନ୍ତ୍ରୀ ହେବାର ସୁଯୋଗ ପାଇନଥାନ୍ତେ ବୋଲି କିଶୋର କହିଥିଲେ । ସେହିପରି ସୁଶୀଲ ମୋଦିଙ୍କ ରାଜନୈତିକ ସଚ୍ଚୋଟତା, ସମ୍ମାନ ଏବଂ ଆଦର୍ଶକୁ ନେଇ ମଧ୍ୟ ପ୍ରଶ୍ନ ଉଠାଇଥିଲେ । (ଏଜେନ୍ସୀ)

Related posts