ସମୀକ୍ଷା ବ୍ୟୁରୋ
ଭୁବନେଶ୍ବର, 5/1: ଆଜିଠାରୁ ଚିଲିକାରେ ପକ୍ଷୀଗଣନା ଆରମ୍ଭ ହୋଇଛି। ବାଲୁଗାଁ ବନଖଣ୍ଡ ଅଞ୍ଚଳର ୫ଟି ରେଞ୍ଜରେ ଏହି ଗଣନା ହେଉଛି। ଏଥିପାଇଁ ୧୦୦ରୁ ଅଧିକ ଗଣନାକାରୀଙ୍କୁ ନେଇ ୨୧ଟି ଟିମ୍ ଗଠନ କରାଯାଇଛି। ପକ୍ଷୀ ଗଣନା ପୂର୍ବରୁ ଗତକାଲି ଏକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଥିଲା। ଏଥିରେ ୨୧ଟି ଟିମ୍ର ୧୦୦ରୁ ଅଧିକ କର୍ମଚାରୀ ଯୋଗ ଦେଇଥିଲେ। ଚିଲିକାକୁ ସାଧାରଣତଃ ନାଇଜେରିଆ, ଆଫଗାନିସ୍ତାନ, ଶ୍ରୀଲଙ୍କା ଓ ପାକିସ୍ତାନ ଭଳି ୨୨ଟି ଦେଶରୁ ବିଦେଶୀ ପକ୍ଷୀ ଆସିଥା’ନ୍ତି। ଗତବର୍ଷ ୧୮୧ ପ୍ରଜାତିର ୧୦ଲକ୍ଷ ୪୭ହଜାର ୯୬୮ ବିଦେଶୀ ପକ୍ଷୀ ଆସିଥିଲେ। ଚଳିତ ବର୍ଷ ପାଗ ଅନୁକୂଳ ନଥିବାରୁ ପକ୍ଷୀ ସଂଖ୍ୟା ହ୍ରାସ ପାଇପାରେ ବୋଲି ପୂର୍ବାନୁମାନ କରାଯାଉଥିବା ବନ୍ୟପ୍ରାଣୀ ଗବେଷକ କହିଛନ୍ତି। ଆଜି ସକାଳ ୬ଟାରୁ ପକ୍ଷୀ ଗଣନା ଆରମ୍ଭ ହୋଇଥିବା ବେଳେ ଦିନ ୧୨ଟା ପର୍ଯ୍ୟନ୍ତ ପକ୍ଷୀ ଗଣନା ଚାଲିବ।