ନୂଆଦିଲ୍ଲୀ, 5/1: ଭାରତୀୟ ଜନତା ଦଳ ତରଫରୁ ଆଜି ନାଗରିକତା ସଂଶୋଧନ ଆଇନ (ସିଏଏ) ଉପରେ ବୃହତ୍ତ ଜନ ଜାଗରଣ ଅଭିଯାନ ଆରମ୍ଭ କରିବାକୁ ଯାଉଛି। 42ଟି ସ୍ଥାନରେ ଦଳର ବରିଷ୍ଠ 42ଜଣ ତୁଙ୍ଗ ନେତୃତ୍ବ ଘର ବୁଲି ସମ୍ପର୍କ ଅଭିଯାନ ଆରମ୍ଭ କରିବେ। ଆଗାମୀ 10 ଦିନ ମଧ୍ୟରେ ବିଜେପିର ମନ୍ତ୍ରୀ ଓ ନେତା ଦେଶର 3କୋଟି ଲୋକଙ୍କ ପାଖରେ ପହଞ୍ଚିବେ। ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଓ ଗୃହମନ୍ତ୍ରୀ ଅମିତ ଶାହା ଜାନୁଆରୀ 5 ଅର୍ଥାତ୍ ଆଜି ଦିଲ୍ଲୀଠାରେ ଏହି ଅଭିଯାନର ଆରମ୍ଭ କରିବେ। ଏହି କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭେଡକର ମଧ୍ୟ ଉପସ୍ଥିତ ରହିବେ। ସେହିପରି କାର୍ଯ୍ୟକାରୀ ଅଧ୍ୟକ୍ଷ ଜେପି ନଡ୍ଡା ଗାଜିଆବାଦଠାରେ କାର୍ଯ୍ୟକ୍ରମରେ ଉପସ୍ଥିତ ରହିବେ। ଅନ୍ୟମାନଙ୍କ ମଧ୍ୟରେ ଲକ୍ଷ୍ନୌଠାରେ ରାଜନାଥ ସିଂ, ନାଗପୁରଠାରେ କେନ୍ଦ୍ରମନ୍ତ୍ରୀ ନିତିନ୍ ଗଡକରୀ, ବେଙ୍ଗାଲୁରୁଠାରେ ବି. ସଦାନନ୍ଦ ଗୌଡ, ରାଜସ୍ଥାନର ଜୟପୁରଠାରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏହି ସମ୍ପର୍କ ଅଭିଯାନର ଆରମ୍ଭ କରିବେ। (ଏଜେନ୍ସି)