ମୁମ୍ବାଇ, 5/1: ଅଭିନେତା ଅଜୟ ଦେବଗନ୍ଙ୍କ ଲୋକପ୍ରିୟ ଚରିତ୍ର ଡିସିପି ବାଜରାଓ୍ବ ସିଂଘମ୍ଙ୍କୁ ପୁଣିଥରେ ପରଦା ଉପରେ ଦେଖିବା ନେଇ ପ୍ରଶଂସକମାନେ ଅଧୈର୍ଯ୍ୟ ହୋଇ ଅପେକ୍ଷା କରିରହିଛନ୍ତି । ତେବେ ତାଙ୍କ ଅପେକ୍ଷାକୁ ଆହୁରି ମଜାଦାର ରିବା ପାଇଁ ସୁପରଷ୍ଟାର ଅଭିନେତା ଅଜୟ ଏହି ଫିଲ୍ମର ରିଲିଜ୍ ହେବା ନେଇ ସଂକେତ ଦେଇଛନ୍ତି ।
ସିଂଘମ୍ -3କୁ ନେଇ ପଚରାଯାଇଥିବା ଏକ ପ୍ରଶ୍ନର ଉତ୍ତରେ ଅଜୟ କହିଛନ୍ତି ଯେ, – ହଁ, ଏହି ଫିଲ୍ମଟି ନିର୍ମାଣ ହେବ । କିନ୍ତୁ ଏହା ପୂର୍ବରୁ ଆମେ ଗୋଲ୍ମାଲ୍ କରୁଛୁ । ଏହା ପରେ ବୋଧେ ସିଂଘମ୍ ହେବ । ଆପଣମାନେ ଯେତେବେଳେ ସୂର୍ଯ୍ୟବଂଶୀ ଦେଖିବେ, ତେବେ ଆପଣ ପଚାରିଥିବା ପ୍ରଶ୍ନର ଉତ୍ତର ପାଇପାରିବେ । ଏହାର ଉତ୍ତର ଏହି ଫିଲ୍ମରେ ଲୁଚି ରହିଛି । ଏମିତିରେ ବି ସୂର୍ଯ୍ୟବଂଶୀରେ ମୁଁ ଅଛି ବୋଲି କହିଛନ୍ତି ଅଜୟ ।
ରୋହିତ ସେଟ୍ଟିଙ୍କ ପୁଲିସ୍ ଡ୍ରାମା ଉପରେ ଆଧାରିତ ଫିଲ୍ମ ‘ସୂର୍ଯ୍ୟବଂଶୀ’ରେ ମୁଖ୍ୟ ଭୂମିକାରେ ରହିଛନ୍ତି ଅକ୍ଷୟ କୁମାର । ଏହି ଫିଲ୍ମଟି ମାର୍ଚ୍ଚ ମାସରେ ରିଲିଜ୍ ହେବ । ତେବେ ଦର୍ଶକଙ୍କୁ ‘ସିଂଘମ୍-3‘ର ବିଷୟରେ ଅଧିକ କିଛି ଜାଣିବାକୁ ଥିଲେ ଆଉ କିଛି ମାସ ଅପେକ୍ଷା କରିବାକୁ ପଡ଼ିବ । ତେବେ ଅଜୟ ତାଙ୍କର ଅପକମିଙ୍ଗ ଫିଲ୍ମ ‘ତାନାଜୀ : ଦ ଅନସଙ୍ଗ୍ ଓ୍ବାରିଅର୍’ର ପ୍ରମୋସନର ବ୍ୟସ୍ତ ରହିଛନ୍ତି । ଏହି ଫିଲ୍ମଟି ଛତ୍ରପତି ଶିବାଜୀ ମହାରାଜଙ୍କ ମରାଠା ସେନାରେ ରହିଥିବା ଜଣେ ବାହାଦୂର ସେନାପତି ତାନାଜୀ ମାଲୁସିରେଙ୍କ ଜୀବନୀ ଉପରେ ଆଧାରିତ । କିନ୍ତୁ ଇତିହାସର ପୁସ୍ତକରେ ତାନାଜୀଙ୍କ ଉପରେ ଗୋଟେ ପରାଗ୍ରାଫ୍ଠାରୁ ଅଧିକ ତଥ୍ୟ ଜାଣିବାକୁ ମିଳେ ନାହିଁ। ଏଥିପାଇଁ ଅଜୟ ତାନାଜୀଙ୍କ ଉପରେ ଫିଲ୍ମ ନିର୍ମାଣ କରିବାକୁ ନିଷ୍ପତ୍ତି ନେଇଥିଲେ । ‘ତାନାଜୀ : ଦ ଅନ୍ସଙ୍ଗ ଓ୍ବାରିଅର୍’ରେ ଅଜୟଙ୍କ ସହିତ କାଜୋଲ୍, ସୈଫ୍ଅଲୀ ଖାନ୍, ଶରଦ୍ କେଲକର୍ ଓ ଲ୍ୟୁକ୍ କେନି ପ୍ରମୁଖ ଭୂମିକାରେ ରହିଛନ୍ତି । ଓମ୍ ରାଉଲ୍ଙ୍କ ଦ୍ବାରା ନିର୍ଦ୍ଦେଶିତ ଏହି ଫିଲ୍ମଟି ଜାନୁଆରୀ 10 ତାରିଖରେ ପ୍ରଦର୍ଶିତ ହେବ ।