ତିନି ଦିନ ରହିବ ବ୍ୟାଙ୍କ ବନ୍ଦ, ଆଜି ହିଁ ଶେଷ କରନ୍ତୁ ବ୍ୟାଙ୍କ ସମ୍ବନ୍ଧୀୟ କାର୍ଯ୍ୟ

Published: Jan 30, 2020, 12:06 pm IST

ସମୀକ୍ଷା ବ୍ୟୁରୋ

ଭୁବନେଶ୍ବର : ବ୍ୟାଙ୍କ ସମ୍ବନ୍ଧୀୟ କାର୍ଯ୍ୟ ଯଦି କିଛି କରିବାର ଅଛି, ତେବେ ଆଜି ହିଁ କରିନିଅନ୍ତୁ। କାରଣ ତିନିଦିନ ଧରି ବ୍ୟାଙ୍କ ରହିବ ବନ୍ଦ । ଶୁକ୍ରବାର ଓ ଶନିବାର ଦିନ ବ୍ୟାଙ୍କ ଧର୍ମଘଟ ଯୋଗୁଁ ବ୍ୟାଙ୍କ ସମ୍ବନ୍ଧୀୟ କାର୍ଯ୍ୟ ହୋଇପାରିବ ନାହିଁ। ସେହିପରି ଏହା ପରେ ଅର୍ଥାତ୍‌ ଫେବୃଆରୀ ଦୁଇ ତାରିଖ ରବିବାର ପଡୁଥିବାରୁ ସାପ୍ତାହିକ ଅବକାଶ ପାଇଁ ବ୍ୟାଙ୍କ ବନ୍ଦ ରହିବ । ଲଗାତାର ତିନିଦିନ ବ୍ୟାଙ୍କ ବନ୍ଦ ରହୁଥିବାରୁ ଆପଣ ଆଜି ହିଁ ବ୍ୟାଙ୍କ ସମ୍ବନ୍ଧୀୟ କାର୍ଯ୍ୟ ଶେଷ କରନ୍ତୁ । ସେହିପରି ବ୍ୟାଙ୍କ ବନ୍ଦ ରହିବା କାରଣରୁ ଏଟିଏମ୍‌ରେ ମଧ୍ୟ କ୍ୟାଶ୍‌ ସମସ୍ୟା ସୃଷ୍ଟି ହେବାର ସମ୍ଭାବନାକୁ ଏଡାଇ ଦେଇ ହେବ ନାହିଁ । ତେବେ ବ୍ୟାଙ୍କ ଧର୍ମଘଟ ନେଇ ଏସ୍‌ବିଆଇ ସମେତ କିଛି ସାର୍ବଜନିକ ବ୍ୟାଙ୍କ ପୂର୍ବରୁ ଗ୍ରାହକଙ୍କୁ ଏନେଇ ଆଲର୍ଟ କରିଛନ୍ତି । କିନ୍ତୁ ପ୍ରାଇଭେଟ୍‌ ବ୍ୟାଙ୍କ ଉପରେ ଏହି ବନ୍ଦର ପ୍ରଭାବ କିଛି ପଡିବ ନାହିଁ । ସେହିପରି ଅନ୍‌ଲାଇନ୍‌ ବ୍ୟାଙ୍କ୍‌କିଂ ପୂର୍ବପରି ଚାଲୁ ରହିବ ।

ବ୍ୟାଙ୍କ କର୍ମଚାରୀ ସଙ୍ଗଠନ ମୁଖ୍ୟ ଦାବି ବେତନ ବୃଦ୍ଧି ରହିଥିବାବେଳେ ବ୍ୟାଙ୍କ କର୍ମଚାରୀଙ୍କ ବେତନ ସଂଶୋଧନ ମାମଲା ନଭେମ୍ବର 2017ରୁ ଲାଗି ରହିଛି । ଏତଦ୍‌ବ୍ୟତୀତ ବ୍ୟାଙ୍କ କାର୍ଯ୍ୟ ସମୟର ନିର୍ଦ୍ଧାରଣ ମଧ୍ୟ ରହିଛି । ଜାନୁଆରୀ 31ରେ ଆର୍ଥିକ ସର୍ଭେ ଓ ଫେବୃଆରୀ 1 ତାରିଖରେ ଦେଶରେ ବଜେଟ୍‌ ଆଗତ କରିବା ସମୟରେ ବ୍ୟାଙ୍କ ସମୂହ ଧର୍ମଘଟ କରିଛନ୍ତି ।  ପୂର୍ବରୁ ଜାନୁଆରୀ 8 ତାରିଖରେ ମଧ୍ୟ ବ୍ୟାଙ୍କ କର୍ମଚାରୀମାନେ ଟ୍ରେଡ୍‌ ୟୁନିଅନ୍‌ର ଦେଶବ୍ୟାପୀ ବନ୍ଦରେ ଭାଗ ନେଇଥିଲେ । ଏଥିଯୋଗୁଁ ବ୍ୟାଙ୍କ ସମ୍ବନ୍ଧୀୟ କାର୍ଯ୍ୟ ପ୍ରଭାବିତ ହୋଇଥିଲା ।

Related posts