ପାକିସ୍ତାନକୁ ଝଟ୍‌କା : ଅନୁରୋଧକୁ ଅଗ୍ରାହ୍ୟ କଲେ ଆଇସିଜେ

Published: Feb 19, 2019, 7:04 pm IST

ମଙ୍ଗଳବାର କୁଲଭୂଷଣ ଯାଦବ ମାମଲାରେ ଶୁଣାଣିକୁ ସ୍ଥଗିତ ରଖିବାପାଇଁ ପାକିସ୍ତାନର ଅନୁରୋଧକୁ ଇଣ୍ଟରନ୍ୟାସନାଲ କୋର୍ଟ ଅଫ ଜଷ୍ଟିସ (ଆଇସିଜେ) ଅଗ୍ରାହ୍ୟ କରିଦେଇଛନ୍ତି। ପାକିସ୍ତାନ ଏହି ଅବସରରେ ନୂଆ ଆଡ୍‌-ହକ୍‌ ଜଜ୍‌ ବା ଅସ୍ଥାୟୀ ବିଚାରପତି ନିଯୁକ୍ତି ପାଇଁ ଅନୁରୋଧ କରିଥିଲା ଏବଂ ଏହାକୁ ମଧ୍ୟ ବିଚାରପତି ମଣ୍ଡଳୀ ଖଣ୍ଡନ କରିଥିଲେ। ଜମ୍ମୁକଶ୍ମୀରର ପୁଲ୍‌ୱାମାଠାରେ ଆତଙ୍କବାଦୀ ଆକ୍ରମଣ ପରେ ଦୁଇ ଦେଶ ମଧ୍ୟରେ ସମ୍ପର୍କ ଆହୁରି ତିକ୍ତ ହୋଇ ପଡ଼ିଥିବାବେଳେ ସୋମବାରଠାରୁ ଦି ହେଗ୍‌ସ୍ଥିତ ଆଇସିଜେ ମୁଖ୍ୟାଳୟଠାରେ ଯାଦବ ମାମଲାର ୪ ଦିନିଆ ଶୁଣାଣି ଚାଲୁରହିଛି। ପାକିସ୍ତାନ ଆଜି ପକ୍ଷ ରଖିବାକୁ ଥିବାବେଳେ ଏହି ରାଷ୍ଟ୍ର ପକ୍ଷରୁ ଥିବା ଅସ୍ଥାୟୀ ବିଚାରପତିଙ୍କ ସ୍ୱାସ୍ଥ୍ୟାବସ୍ଥା ଠିକ୍‌ ନଥିବା ଦର୍ଶାଇ ପାକିସ୍ତାନ ଏହି ଶୁଣାଣି ସ୍ଥଗିତ ରଖିବାକୁ କହିଥିଲା। କିନ୍ତୁ ଆଇସିଜେ ପାକିସ୍ତାନର ଅନୁରୋଧକୁ ଖଣ୍ଡନ କରି ବିନା ଆଡ୍‌-ହକ୍‌ ଜଜ୍‌ରେ ଶୁଣାଣି ଚାଲୁ ରହିବ ବୋଲି କହିଥିଲେ । ଏହା ପୂର୍ବରୁ ସୋମବାର ଦିନ ଭାରତ ପକ୍ଷରୁ ଯାଦବଙ୍କୁ ଦିଆଯାଇଥିବା ମୃତ୍ୟୁଦଣ୍ଡାଦେଶ ବିରୋଧରେ ଯୁକ୍ତି ରଖାଯାଇଥିଲା ଏବଂ ତାଙ୍କର ତୁରନ୍ତ ମୁକ୍ତି ପାଇଁ ଦାବି କରାଯାଇଥିଲା ।

Related posts