ଦ୍ୱିତୀୟ ଦିନରେ ଆଶାୟୀ ଶିକ୍ଷକ ସଂଘର ଆମରଣ ଅନଶନ

Published: Feb 14, 2020, 8:28 pm IST

ଭୁବନେଶ୍ୱର: ତିନିଦଫା ଦାବି ନେଇ ଆମରଣ ଅନଶନ କରୁଥିବା ଆଶାୟୀ ଶିକ୍ଷକଙ୍କ ଅନଶନ ଆଜି ଦ୍ୱିତୀୟ ଦିନରେ ପହଞ୍ଚିଛି। ପୂର୍ବ ନିଷ୍ପତ୍ତି ଅନୁଯାୟୀ ସଂଘର କାର୍ଯ୍ୟକତ୍ତ୍ରାମାନେ ସଭାପତି ଧନଞ୍ଜୟ ଜେନାଙ୍କ ନେତୃତ୍ୱରେ ୧୨ ତାରିଖଠାରୁ ନଖାଇ ନ ପିଇ ଅନଶନରେ ବସିଛନ୍ତି। ସୂଚନାଯୋଗ୍ୟ ଗତ ଡ଼ିସେମ୍ବର ୨୦୧୬ ମସିହାରୁ କନିଷ୍ଠ ଶିକ୍ଷକ ନିଯୁକ୍ତି ବାହାରିନାହିଁ। ରାଜ୍ୟରେ ପ୍ରାୟ ୬୦ ହଜାର ସିଟି. ବି.ଇଡ଼ି ତଥା ଓଟିଇଟି ପାସ୍ କରିଥିବା ଛାତ୍ରଛାତ୍ରୀ ଚାକିରି ଅପେକ୍ଷା କରି ଅଛନ୍ତି। ବିଭିନ୍ନ ତଥ୍ୟ ଅନୁସାରେ ରାଜ୍ୟରେ ପ୍ରାୟ ୨୦ ହଜାର ଶିକ୍ଷକ ପଦବୀ ଖାଲି ରହିଥିବାବେଳେ ସ୍କୁଲରେ ଶିକ୍ଷକ ଅଭାବରୁ ଅଭିଭାବକମାନେ ସେମାନଙ୍କୁ ପିଲାମାନଙ୍କୁ ପ୍ରାଇଭେଟ୍ ସ୍କୁଲକୁ ପଠାଉଛନ୍ତି। ରାଜ୍ୟ ସରକାର ପ୍ରାଇଭେଟ୍ ସ୍କୁଲ ପ୍ରତି ଅନୁକମ୍ପା ଦେଖାଇଛନ୍ତି। ଏପଟେ ରାଜ୍ୟରେ ବିନା ଏନ୍‌ଓସି ଏବଂ ସିଓଆର୍‌ରେ ହଜାର ହଜାର ପ୍ରାଇଭେଟ୍ ସ୍କୁଲ ଛତୁଫୁଟିଲା ଭଳି ଚାଲୁଛି। ତେଣୁ ରାଜ୍ୟସ୍ତରୀୟ ଓଡ଼ିଶା କନିଷ୍ଠ ଶିକ୍ଷକ ଆଶାୟୀ ସଂଘ, ଭୁବନେଶ୍ୱର ଡ଼ାକରାରେ ନଭେମ୍ବର ୧୧ ଏବଂ ୨୯ ତାରିଖରେ ଭୁବନେଶ୍ୱରର ଲୋୟର ପିଏମ୍‌ଜିରେ ଧାରଣା ଦିଆଯାଇଥିଲେ ମଧ୍ୟ ମନ୍ତ୍ରୀଙ୍କ ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୁତ ହୋଇଥିଲେ ମଧ୍ୟ ଦୁଇମାସ ବିତିଯାଇଥିଲେ ମଧ୍ୟ କୌଣସି ସୁଫଳ ନ ମିଳିବାରୁ ପୁଣିଥରେ ସଂଘର ଡ଼ାକରାରେ ଗତ ୧୨ ତାରିଖ ଦିନ ହଜାର ହଜାର ଆଶାୟୀ ଶିକ୍ଷକ ଲୋୟର ପିଏମ୍‌ଜିରେ ଧାରଣା ଦେବା ସହ ପ୍ରତିବାଦ କରିଥିଲେ। ଫଳରେ ସଂଘର ପ୍ରତିନିଧି ମଣ୍ଡଳୀ ସହ ଗଣଶିକ୍ଷାମନ୍ତ୍ରୀ ଏବଂ ସଚିବ ଆଲୋଚନା କରିଥିଲେ ମଧ୍ୟ ପୁନର୍ବାର ପ୍ରତଶ୍ରୁତି ମିଳିବାରୁ ତାହା ବିଫଳ ହୋଇଥିଲା । ତେଣୁ ସେମାନେ ଦାବି ପୂରଣ ନହେବା ପର୍ଯ୍ୟନ୍ତ ଶତାଧିକ କନିଷ୍ଠ ଶିକ୍ଷକ ଆଶାୟୀ (ସିଟି, ବି.ଇଡ଼ି.) ପିଲାମାନେ ଆମରଣ ଅନଶନରେ ବସିଛନ୍ତି। ଏହା ସହ ଆସନ୍ତା ବଜେଟ୍ ଅଧିବେଶନରେ ନୂତନ କନିଷ୍ଠ ଶିକ୍ଷକ ନିଯୁକ୍ତି ନିମନ୍ତେ ଘୋଷଣା ନକଲେ ଆଗାମୀ ଦିନରେ ଆତ୍ମହୁତି ଦେବାକୁ ପଛେଇବେ ନାହିଁ ବୋଲି ରାଜ୍ୟରେ ଥିବା ବେକାରୀ ସିଟି, ବି.ଇଡ଼ି  ଓଟିଇଟି ପାସ୍ ହୋଇଥିବା ଆଶାୟୀ ମାନେ କହିଛନ୍ତି। ସୂଚନାଯୋଗ୍ୟ ଗତ ୧୨ ତାରିଖ ଦିନ ତିନିଦଫା ଦାବି ପୂରଣ ନିମନ୍ତେ ବିଧାନସଭା ସମ୍ମୁଖ ଗାନ୍ଧି ମାର୍ଗରେ ହଜାର ହଜାର କନିଷ୍ଠ ଶିକ୍ଷକ ଆଶାୟୀ ମାନେ ଅଭିନବ ଭାବେ ପ୍ରତିବାଦ ଓ ବିକ୍ଷୋଭ କରିଥିଲେ। ସର୍ବ ସମ୍ମୁଖରେ ତଥା ଓଡ଼ିଶାର ଛାତି ଉପରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଆସିଥିବା ବେକାର ସିଟି/ବି.ଇଡ଼ି ପିଲାମାନେ କାନଧରି ଆଣ୍ଠେଇ ପ୍ରତିବାଦ ପ୍ରଦର୍ଶନ କରିଥିଲେ। ଯାହା ଓଡ଼ିଶାରେ ବର୍ତ୍ତମାନର ଚର୍ଚ୍ଚାର ବିଷୟ ପାଲଟିଛି। ଉକ୍ତ ଦିନ ସରକାରଙ୍କ ଡ଼ାକରାରେ ସଂଘର ଏକ ପ୍ରତିନିଧି ମଣ୍ଡଳୀ ସଭାପତି ଧନଞ୍ଜୟ ଜେନାଙ୍କ ନେତୃତ୍ୱରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସଚିବଙ୍କ ସହ ଆଲୋଚନା କରିଥିଲେ। ସଚିବ ମହୋଦୟ ସେହି ପୁରୁଣା କଥା ଦୋହରାଇଥିଲେ ଓ କହିଥିଲେ କି ବିଭାଗ ଆପଣମାନଙ୍କ ତିନିଦଫା ଦାବି ସଂପର୍କରେ ଅବଗତ ଅଛନ୍ତି ଓ ଖୁବଶୀଘ୍ର ଏହା ଉପରେ ପଦକ୍ଷେପ ନିଆଯିବ। କିନ୍ତୁ କେବେ ନିଆଯିବ ସେନେଇ କିଛି ନିର୍ଦ୍ଦିଷ୍ଟ ସମୟସୀମା ଦେଇନଥିଲେ । ତେଣୁ ୧୩ ତାରିଖରେ ସଂଘ ତରଫରୁ ଅନଶନ ଓ ଧାରଣା ଚାଲୁ ରହିଥିବା ବେଳେ ମାନ୍ୟବର ଗଣଶିକ୍ଷା ମନ୍ତ୍ରୀଙ୍କ ତରଫରୁ ଡ଼ାକରା ଆସିଥିଲା । ଅପରାହ୍ନରେ ସଂଘର ଏକ ପ୍ରତିନିଧି ମଣ୍ଡଳୀ ସଭାପତି ଧନଞ୍ଜୟ ଜେନାଙ୍କ ନେତୃତ୍ୱରେ ଲୋକସେବା ଭବନରେ ମାନ୍ୟବର ଗଣଶିକ୍ଷା ମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ । ପ୍ରଥମେ ମନ୍ତ୍ରୀ କହିଥିଲେ କି ଗତକାଲିର କାନଧରି ଆଣ୍ଠେଇବା ଦୃଶ୍ୟ ମୋତେ ମର୍ମାହାତ କରିଛି । ଆପଣମାନେ ଧାରଣା ଓ ଅନଶନରୁ ଓହରି ଯାଆନ୍ତୁ ଏବଂ କନିଷ୍ଠ ଶିକ୍ଷକ ନିଯୁକ୍ତି ପାଇଁ ବିଭାଗୀୟ ସ୍ତରରେ ପ୍ରକ୍ରିୟା ଆରମ୍ଭ ହୋଇଛି । ଖୁବଶୀଘ୍ର ଏହା ଉପରେ ଚୁଡ଼ାନ୍ତ ନିଷ୍ପତ୍ତି ନିଆଯିବ । କିନ୍ତୁ ନିର୍ଦ୍ଦିଷ୍ଟ କେବେ ନିଷ୍ପତ୍ତି ନିଆଯିବ ଓ କେବେ ବିଜ୍ଞପ୍ତି ପ୍ରକାଶ ପାଇବ, ସେ ନେଇ କୌଣସି ଲିଖିତ ପ୍ରତିଶ୍ରୁତି ଦେଇନଥିଲେ । ଯାହା ସରକାରଙ୍କର ଉଦାସୀନତାକୁ ପଦାରେ ପକାଇଦେଇଛି । ତେଣୁ ଓଜେଟାର ପୂର୍ବ ନିଷ୍ପତ୍ତି ଅନୁଯାୟୀ ଧାରଣା ଓ ଅନଶନ ଜାରି ରହିଛି ଓ ଦାବିପୂରଣ ନହେଲେ ଆସନ୍ତା ୧୭ ତାରିଖରେ ଓଜେଟା ତରଫରୁ ଶତାଧିକ ସିଟି/ବିି.ଇଡ଼ି ଶିକ୍ଷକ ଆଶାୟୀମାନେ ଚରମ ନିଷ୍ପତ୍ତି ନେବେ ବୋଲି ସଂଘର ସଭାପତି ଧନଞ୍ଜୟ ଜେନା ଓ ସାଧାରଣ ସଂପାଦକ ଜୀବନବନ୍ଧୁ ଭୋଇ ଏକ ପ୍ରେସ ବିବୃତ୍ତିରେ ଜଣାଇଛନ୍ତି । ସେପଟେ ଅନଶନରେ ବସିଥିବା ସଭାପତିଙ୍କ ସହ ଅନ୍ୟ ଆଶାୟୀଙ୍କ ସ୍ୱାସ୍ଥ୍ୟବସ୍ଥାରେ ଅବନତି ପରିଲକ୍ଷିତ ହେଉଛି ।

Related posts