ଆସନ୍ତାକାଲି ମାଟ୍ରିକ ପରୀକ୍ଷା ଦେବେ ୫ ଲକ୍ଷ ୬୦ହଜାର ୯୦୫ ଜଣ ପରୀକ୍ଷାର୍ଥୀ, କେମିତ ହେବ ପରୀକ୍ଷା ଜାଣି ନିଅନ୍ତୁ

Published: Feb 18, 2020, 7:53 pm IST

ସମୀକ୍ଷା ବ୍ୟୁରୋ

କଟକ: ଆସନ୍ତାକାଲି ସକାଳ ୧୦ଟାରେ ଆରମ୍ଭ ମାଟ୍ରିକ ପରୀକ୍ଷା। ଏଥର ୫ ଲକ୍ଷ ୬୦ହଜାର ୯୦୫ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଉଛନ୍ତି। ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଶୃଙ୍ଖଳିତ ଭାବେ କରିବା ପାଇଁ ମାଧ୍ୟମିକ ଶିକ୍ଷା ପରିଷଦ ତରଫରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଆସନ୍ତାକାଲି ପ୍ରଥମ ଭାଷା ଓଡିଆ ପରୀକ୍ଷା ରହିଛି।

ଦିନ ୧୦ ଟାରୁ ପରୀକ୍ଷା ଆରମ୍ଭ ହେବ, ହେଲେ ଏହା ପୂର୍ବରୁ ଅର୍ଥାତ ସକାଳ୯ ଟାରେ ପରୀକ୍ଷା କେନ୍ଦ୍ର ଗେଟ ଖୋଲାଯିବ। ଫଳରେ ଛାତ୍ରଛାତ୍ରୀମାନେ ପରୀକ୍ଷା କେନ୍ଦ୍ର ଭିତରକୁ ପ୍ରବେଶ କରିପାରିବେ। ଏହାପରେ ୯ଟା ୨୦ ମିନିଟରେ ପରୀକ୍ଷା ହଲର ଦ୍ବାର ଖୋଲାଯିବ। ଏହା ଦ୍ବାରା ଛାତ୍ରଛାତ୍ରୀମାନେ ପରୀକ୍ଷା ସ୍ଥାନରେ ବସିବାକୁ ସୁଯୋଗ ମିଳିବ।

ପରୀକ୍ଷା ଦିନ ସକାଳ ୬ଟାରୁ ୮ଟା ୩୦ ମିନିଟ ମଧ୍ୟରେ ନୋଡାଲ କେନ୍ଦ୍ରରେ ପ୍ରଶ୍ନପତ୍ର ଓ ଉତ୍ତରଖାତାର ପ୍ରଥମ ସିଲ ଖୋଲାଯିବ। ଏହାପରେ ଏଗୁଡିକ ପରୀକ୍ଷା କେନ୍ଦ୍ରକୁ ପଠାଯିବ। ପରୀକ୍ଷା କେନ୍ଦ୍ରରେ ଦ୍ବିତୀୟ ସିଲ ଖୋଲାଯାଇ ସେଗୁଡିକ ପରୀକ୍ଷା ହଲକୁ ପଠାଯିବ। ସେଠାରେ ମଧ୍ୟ ଦୁଇଜଣ ପରୀକ୍ଷାର୍ଥୀଙ୍କ ଆଗରେ ତୃତୀୟ ବା ଶେଷ ସିଲ ଖୋଲାଯାଇ ଛାତ୍ରଛାତ୍ରୀଙ୍କୁ ବଣ୍ଟାଯିବ। ପ୍ରଥମେ ସଂକ୍ଷିପ୍ତ ପ୍ରଶ୍ନ ଓ ଉତ୍ତରଖାତା ପ୍ରଦାନ କରାଯିବ। ଛାତ୍ରଛାତ୍ରୀମାନେ ୧୫ ମିନଟ ମଧ୍ୟରେ ଉତ୍ତରଖାତାର ପ୍ରଥମ ପୃଷ୍ଠାରେ ଥିବା ଟେବୁଲ ପୂରଣ କରିବେ। ଦିନ ୧୦ଟା ବେଳେ ଉତ୍ତର ଲେଖା ଆରମ୍ଭ କରିବେ। ଏହା ୧୧ ଟା ପର୍ଯ୍ୟନ୍ତ ଚାଲିବ। ୧୧ ଟାରୁ ୧୨ଟା ପର୍ଯ୍ୟନ୍ତ ସବଜକ୍ଟେଟିଭ ପରୀକ୍ଷା ଆରମ୍ଭ ହେବ।

କ୍ଲାସ ରୁମରେ କେହି ବି ମୋବାଇଲ ଫୋନ ବ୍ୟବହାର ନ କରିବା ପାଇଁ ତାଗିଦ କରାଯାଇଛି। କେବଳ ଜରୁରୀ ପରିସ୍ଥିତିରେ କେନ୍ଦ୍ର ଅଧିକ୍ଷକ କଂଟ୍ରୋଲ ରୁମରେ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଅସୁବିଧା ସଂପର୍କରେ ଫୋନ କରିପାରିବେ ବୋଲି ନିର୍ଦ୍ଦେଶ ଦିଆଯାଇଛି।

 

Related posts