ତହସିଲଦାର୍‌ ଓ ବାଲି ମାଫିଆଙ୍କ ମଧୁଚନ୍ଦ୍ରିକା : ଗଞ୍ଜାମ ଜିଲ୍ଲାରେ ଚାଲିଛି ବେଧଡକ ବାଲି ଚୋରା ଚାଲାଣ

Published: Feb 19, 2020, 11:05 am IST

ହେମାଙ୍ଗ ପ୍ରସାଦ ରାଉଳ

ବ୍ରହ୍ମପୁର: ଗଂଜାମ ଜିଲ୍ଲାର ବିଭିନ୍ନ ନଦୀପଠାରୁ ଦୈନିକ ଶହଶହ ବାଲି ଆନ୍ଧ୍ରକୁ ଚୋରାଚାଲଣ ହେଉଥିବା ଅଭିଯୋଗ ହେଉଛି। ଯେତିକି ପରିମାଣରେ ବାଲି ନେବା କଥା ସେତିକି ପରିମାଣରେ ବାଲି ନନେବା ସହ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକୁ ଏମାନେ ଖୋଲାଖୋଲି ଉଲ୍ଲଂଘନ କରୁଛନ୍ତି। ଘଟଣାରୁ ପ୍ରକାଶ ଯେ ଗତକାଲି ଏଭଳି ଦୁଇଟି ଟ୍ରକକୁ ଗଂଜାମ ଟ୍ରକ ଏସୋସିଏସନ୍‌ର ସଭ୍ୟମାନେ ଆନ୍ଧ୍ରକୁ ଚାଲାଣ ବେଳେ ଜାତୀୟ ରାଜପଥରେ ଅଟକାଇଥିଲେ। ଉକ୍ତ ବାଲି ବୋଝେଇ ହାଇୱା ଟ୍ରକରେ ୨୨୦ ସିଏଫ୍‌ଟି ବାଲି ନେବା ବଦଳରେ ବିପୁଳ ପରିମାଣରେ ତଥା ୬୦୦ ସିଏଫ୍‌ଟି ବାଲି ଚାଲାଣ ହେଉଥିବା ଦେଖିବାକୁ ମିଳିଥିଲା। ଜିଲ୍ଲାପାଳଙ୍କ ନିୟମ ଅନୁସାରେ ପ୍ରତି ଟ୍ରକରେ ସର୍ବମୋଟ ୨୨୦ ସିଏଫ୍‌ଟି ବାଲି ନେବା ସହ ଦୈନିକ ଥରେ ମାତ୍ର ନେଇପାରିବ। କିନ୍ତୁ ଏହି ଆନ୍ଧ୍ର ହାଇୱା ବା ବାଲିମାଫିଆମାନେ ଦିନକୁ ବହୁଥର ବାଲି ନେବା ସହ ନିୟମରୁ ବର୍ହିଭୂତ ବାଲି ଚାଲାଣ କରୁଛନ୍ତି। ଏହିପରି ଚୋରାଚାଲଣ କରି ମାଫିଆମାନେ ସରକାରଙ୍କ କୋଟି କୋଟି ଟଙ୍କାର ରାଜସ୍ୱ ଫାଙ୍କୁଥିବା ଦେଖାଯାଇଛି।

ଉକ୍ତ ହାଇୱା ଟ୍ରକ ଦୁଇଟିରୁ ଆର୍ ଫର୍ମ ମଗାଯିବା ବେଳେ ତାହା ୧୮ ତାରିଖ ବଦଳରେ ୧୫ ଏବଂ ୧୭ ଫେବୃୟାରୀ ତାରିଖ ଥିଲା। ଏହିଭଳି ଜାଲି କରି ରୀତିମତ ଓଡ଼ିଶାର ବାଲି ଆନ୍ଧ୍ରକୁ ଚାଲାଣ ହେଉଛି। କାରଣ ଓଡ଼ିଶାର ବାଲି ଆନ୍ଧ୍ରାରେ ସୁନା ସଦୃଶ୍ୟ। ତେଣୁ ବାଲିମାଫିଆମାନେ ସକ୍ରିୟ ହୋଇ କୋଟି କୋଟି ଟଙ୍କା ଲାଭ ଉଠାଉଥିବାବେଳେ ଓଡ଼ିଶାର ରାଜସ୍ୱ ହାନୀ ଘଟୁଛି। ଏନେଇ ବାରମ୍ବାର ଗଣମାଧ୍ୟମରେ ଖବର ପ୍ରକାଶ ପାଉଥିଲେ ସୁଦ୍ଧା ମୁଖ୍ୟତଃ ତହସିଲ୍‌ଦାରମାନଙ୍କର ଖାମଖିଆଲି ନୀତି ଏବଂ ମାଫିଆମାନଙ୍କ ସହ ମଧୁଚନ୍ଦ୍ରିକା ଯୋଗୁଁ ଏହିପରି ଚୋରାଚାଲଣ ହେଉଛି ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି। ଏପଟେ ଏହି ଦୁଇ ବାଲିବୋଝେଇ ହାଇୱାକୁ ଟ୍ରକ ସଂଘର କର୍ମକର୍ତ୍ତାମାନେ ସ୍ଥାନୀୟ ହରିଡ଼ାଖଣ୍ଡି ଆର୍‌ଆଇ ସୁଧୀର ଚନ୍ଦ୍ର ଶବରଙ୍କୁ ହସ୍ତାନ୍ତର କରିଛନ୍ତି।

Related posts