ସମୀକ୍ଷା ବ୍ୟୁରୋ
ଭୁବନେଶ୍ବର : ଆଜି ମହାଶିବରାତ୍ରୀ। ଜାଗର ଯାତ୍ରା ପାଇଁ ଏକାମ୍ର କ୍ଷେତ୍ର ସମେତ ରାଜ୍ୟର ପ୍ରମୁଖ ଶୈବପୀଠ ଚଳଚଞ୍ଚଳ ହୋଇପଡ଼ିଛି। ଆଜି ଭୋର 3ଟାରୁ ଲିଙ୍ଗରାଜଙ୍କ ଦ୍ୱାର ଫିଟା ନୀତି ଅନୁଷ୍ଠିତ ହୋଇଛି। ଏହାପରେ ମହାଦେବଙ୍କ ବିଭିନ୍ନ ନୀତିକାନ୍ତି ଜାରି ରହିଛି। ନୀତି ନିର୍ଘଣ୍ଟ ଅନୁଯାୟୀ ଆଜି ରାତି 10ଟାରେ ମହାପ୍ରଭୁଙ୍କ ମହାଦୀପ ଉଠିବ। ପ୍ରଥମ ଥର ପାଇଁ ଲିଙ୍ଗରାଜ ମନ୍ଦିର ସିଂହଦ୍ୱାର ସହ ମନ୍ଦିର ବେଢାକୁ ବିଭିନ୍ନ ଫୁଲରେ ସଜାଯାଇଛି। ଶ୍ରଦ୍ଧାଳୁଙ୍କ ସୁବିଧା ପାଇଁ ସିଂହଦ୍ୱାର ସମ୍ମୁଖରୁ 200 ମିଟର ଯାଏ ବ୍ୟାରିକେଡ୍ କରାଯାଇଛି। ସୁରକ୍ଷା ଦୃଷ୍ଟିରୁ 30 ପ୍ଲାଟୁନ୍ ଫୋର୍ସ ମୁତୟନ ହୋଇଛନ୍ତି। ଶୃଙ୍ଖଳିତ ଟ୍ରାଫିକ୍ ବ୍ୟବସ୍ଥା ପାଇଁ 14ଟି ପାର୍କିଂ ପ୍ଲେସ୍ର ବ୍ୟବସ୍ଥା କରାଯାଇଛି।