ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠା ଖର୍ଚ୍ଚ ରାଜ୍ୟ ସରକାର ବହନ କରୁଛନ୍ତି

Published: Feb 21, 2020, 9:51 am IST

ବିଧାନସଭାରୁ ପ୍ରଭୁକଲ୍ୟାଣ ମହାପାତ୍ର

ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠା ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ଅର୍ଥ ଯୋଗାଇ ଦେଉଛନ୍ତି ସେଥିପାଇଁ କୌଣସି କେନ୍ଦ୍ରୀୟ ସହାୟତା ମିଳୁନାହିଁ ବୋଲି ପୂର୍ବତନ ଅର୍ଥମନ୍ତ୍ରୀ ତଥା ଶାସକ ଦଳର ଅନ୍ୟତମ ବରିଷ୍ଠ ବିଧାୟକ ପ୍ରଦୀପ କୁମାର ଅମାତ ବିଧାନସଭାରେ ପ୍ରକାଶ କରିଛନ୍ତି। ସେ ଦର୍ଶାଇଛନ୍ତି ଯେ, କଂଗ୍ରେସ ନେତୃତ୍ବାଧୀନ ଉପା ସରକାର ସମୟରେ ସମଗ୍ର ଦେଶରେ ଛଅ ହଜାର ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠା ପାଇଁ ନିଷ୍ପତ୍ତି ହୋଇଥିଲା । ନବୋଦୟ ଢାଞ୍ଚାରେ ପ୍ରତି ବ୍ଲକରେ ଗୋଟିଏ ଲେଖାଏଁ ଆଦର୍ଶ ବିଦ୍ୟାଳୟ ସ୍ଥାପନ ପାଇଁ ଲକ୍ଷ୍ୟ ରଖାଯାଇଥିଲା । କିନ୍ତୁ ବିଜେପି ନେତୃତ୍ବାଧୀନ ଏନ.ଡି.ଏ. ସରକାର କ୍ଷମତାକୁ ଆସିବା ପରେ ସେହି ସହି ନିଷ୍ପତ୍ତିକୁ ପ୍ରତ୍ୟାହାର କରାଯାଇଥିଲା ।

ତେଣୁ ରାଜ୍ୟର ଗ୍ରାମାଞ୍ଚଳରେ ଗରିବ ମେଧାବୀ ବିଦ୍ୟାର୍ଥୀଙ୍କୁ ଗୁଣାତ୍ମକ ମାନର ଶିକ୍ଷା ଦାନ ଲାଗି ଓଡ଼ିଶା ସରକାର ପ୍ରତି ବ୍ଲକରେ ଗୋଟିଏ ଲେଖାଏଁ ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠାର ଲକ୍ଷ୍ୟ ରଖିଛନ୍ତି । ବିଜେପି ସଭ୍ୟ ମୁକେଶ ମହାଲିଙ୍ଗ ଉଲ୍ଲେଖ କରିଛନ୍ତି ଯେ, ରାଜ୍ୟର 299ଟି ଜିଲ୍ଲା ଅନ୍ତର୍ଗତ 214 ବ୍ଲକରେ ଏବେ ଆଦର୍ଶ ବିଦ୍ୟାଳୟ ସ୍ଥାପିତ ହୋଇଛି । କିନ୍ତୁ ସେହି ଶିକ୍ଷାନୁଷ୍ଠାନମାନଙ୍କରେ ହଷ୍ଟେଲ ନଥିବାରୁ ବିଦ୍ୟାର୍ଥୀମାନେ ଗମନାଗମନ କ୍ଷେତ୍ରରେ ଘୋର ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବିଧାନସଭାର ଶୂନ୍ୟକାଳରେ ଉପରୋକ୍ତ ସଭ୍ୟଦ୍ବୟ ଏ ପ୍ରସଙ୍ଗ ଉତ୍ଥାପନ କରିଥିଲେ ।

Related posts