ସରିଲା କୁଲଦୀପ ସେନଗର୍‌ଙ୍କ ବିଧାନସଭା ସଦସ୍ୟତା

Published: Feb 25, 2020, 10:51 am IST

ଉତ୍ତରପ୍ରଦେଶ : ଉତ୍ତରପ୍ରଦେଶର ଚର୍ଚ୍ଚିତ ଉନ୍ନାଓ ଦୁଷ୍କର୍ମ ଦୋଷୀ ହୋଇଥିବା ବିଜେପି ବିଧାୟକ କୁଲଦୀପ ସେନଗର୍‌ ବିଧାନସଭା ସଦସ୍ୟସତା ହରାଇବା ସହିତ ସେ ଏବେ ଆଉ ବିଧାୟକ ଭାବେ ମଧ୍ୟ ରହିବେ ନାହିଁ । ଏନେଇ ବିଧାନସଭାର ମୁଖ୍ୟସଚିବ ପ୍ରଦୀନ କୁମାର ଦୁବେ ଏକ ଅଧିସୂଚନା ଜାରି କରିଛନ୍ତି ।  ସଚିବାଳୟ ଦ୍ବାରା ଜାରି ହୋଇଥିବା ଏହି ଅଧିସୂଚନା ଅନୁସାରେ 2019 ଡିସେମ୍ବର 20ଠାରୁ କୁଲଦୀପ ସିଂହ ସେନଗର୍‌ଙ୍କର ବିଧାନସଭା ସଦସ୍ୟତା ଶେଷ ହୋଇଛି । ଏହି ଆଧାରରେ 2019 ଡିସେମ୍ବର 20 ତାରିଖରୁ ବାଙ୍ଗରମଓ ବିଧାନସଭା ଆସନ ଖାଲି ପଡିଛି । ଏହି ଅଧିସୂଚନାରେ କୁହାଯାଇଛି ଯେ, କୁଲଦୀପ ସିଂ ସେନ୍‌ଗର୍‌ ଉନ୍ନାଓ ଜିଲ୍ଲାର ବାଙ୍ଗରମଓ ବିଧାନସଭା ଆସନରୁ ନିର୍ବାଚିତ ହୋଇଥିଲେ ।

ଦିଲ୍ଲୀର ଏକ ଅଦାଲତ 2019 ମସିହା ଡିସେମ୍ବର 20 ତାରିଖରେ ଉନ୍ନାଓ ଦୁଷ୍କର୍ମ ମାମଲାରେ ତାଙ୍କୁ ଦୋଷୀ ରୂପେ ସ୍ବୀକାର କରିବା ସହ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ । ଏହାପରେ ବିଜେପି ତାଙ୍କୁ ଦଳରୁ ବହିଷ୍କାର କରିଥିବାବେଳେ ତାଙ୍କର ବିଧାନସଭା ସଦସ୍ୟତା ଶେଷ ହୋଇଛି ।

ସୂଚନାଯୋଗ୍ୟ, 2013 ମସିହାରେ ସୁପ୍ରିମ୍‌କୋର୍ଟ ଏକ ନିଷ୍ପତ୍ତି ଶୁଣାଇଥିଲେ ଯେ, ଯଦି କୌଣସି ବିଧାୟକ, ସାଂସଦ ତଥା ବିଧାନ ପରିଷଦ ସଦସ୍ୟଙ୍କ ବିରୋଧରେ ଯଦି କିଛି  ଅପରାଧିକ କାର୍ଯ୍ୟରେ ଦୋଷୀ ରୂପେ ପ୍ରମାଣିତ ହେଉଛନ୍ତି ବା ତାଙ୍କ ବିରୋଧରେ ଦୁଇ ବର୍ଷରୁ ଅଧିକ ଦଣ୍ଡାଦେଶ ମିଳୁଛି, ତେବେ ସେହି ବ୍ୟକ୍ତି ଜଣକ ଜନପ୍ରତିନିଧି ପାଇଁ ଅଯୋଗ୍ୟ ଘୋଷିତ ହେବେ ।

Related posts