ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ଟ୍ରେନ ଯୋଗେ ଦିଲ୍ଲୀକୁ ଗଂଜେଇ ଚାଲାଣ ନେଇ ଅପେକ୍ଷାରତ ଥିବା ଦୁଇଜଣକୁ ବ୍ରହ୍ମପୁର ଆର୍ପିଏଫ୍ ପୋଲିସ୍ ଗିରଫ କରିବା ସହ ୨୫ କିଲୋ ଗଂଜେଇକୁ ଜବତ କରିଛି । ଘଟଣାରୁ ପ୍ରକାଶ ଯେ ବ୍ରହ୍ମପୁର ୪ ନମ୍ବର ପ୍ଲାଟ୍ଫର୍ମରେ ଆଜି ଆର୍ପିଏଫ୍ ଇନିସ୍ପେକ୍ଟର ଦିଲିପ କୁମାର, ଇଣ୍ଟିଲିଜେନସ୍ ଅଫିସର ଆର୍ଏନ୍ ବେହେରା, କନଷ୍ଟେବଳ ଟିକେ ମହାପାତ୍ର, ସିଟି ଦିଲିପ କୁମାର ପ୍ରଧାନ, ଏନ୍ କେ ଦଳେଇ, ଏଏସ୍ଆଇ ଏ.ଏମ୍ ସେଠୀ ସରପ୍ରାଇଜ୍ ଚେକିଂ କରିବା ବେଳେ ଗଜପତି ଜିଲ୍ଲା ଚନ୍ଦ୍ରଗିରିର କେ. ଆଶିଷ ପାତ୍ର (୨୨) ଏବଂ ପୁରୁଷୋତ୍ତମପୁର ପାଲିଆମା ତଥା ବ୍ରହ୍ମପୁର ଶ୍ରୀରାମନଗରରେ ରହୁଥିବା ବିମଳ ବସ୍ତିଆ (୨୦) କିଛି ବ୍ୟାଗ ଧରି ଭୁବନେଶ୍ୱର ଯିବା ପାଇଁ ଟ୍ରେନକୁ ଅପେକ୍ଷା କରିଥିଲେ। ସେମାନଙ୍କ ବ୍ୟାଗଗୁଡ଼ିକ ଚେକିଂ ବେଳେ ଗୋଟିଏ ଟ୍ରଲି ବ୍ୟାଗରେ ୯ ଟି ପ୍ୟାକେଟ ଏବଂ ଗୋଟିଏ ଏୟାର ବ୍ୟାଗରେ ୩ଟି ପ୍ୟାକେଟ୍ ସମୁଦାୟ ୨୫ କିଲୋ ୪୦୦ ଗ୍ରାମ ଗଂଜେଇ ବାହାରିଥିଲା। ଯାହାର ଆନୁମାନିକ ମୂଲ୍ୟ ଦେଢ଼ଲକ୍ଷରୁ ଉର୍ଦ୍ଧ୍ୱ ହେବ। ଉକ୍ତ ଗଂଜେଇକୁ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଜବତ କରାଯାଇଥିଲା। ଉଭୟ ଅଭିଯୁକ୍ତଙ୍କୁ ବ୍ରହ୍ମପୁର ଜିଆର୍ପି ପୋଲିସ୍ଙ୍କୁ ହସ୍ତାନ୍ତର କରାଯାଇଛି। ସେମାନଙ୍କ ବିରୋଧରେ ଜିଆର୍ପି ଥାନାରେ ୩୧/୨୦, ୟୁ/ଏସ୍ ୨୦, ବି, ଏନ୍ଡ଼ିପିଏସ୍ ଆକ୍ଟ-୧୯୮୫ରେ ମାମଲା ରୁଜୁ ହୋଇଛି। ଉକ୍ତ ବ୍ୟକ୍ତିଦ୍ୱୟ ଗଂଜେଇକୁ ଟ୍ରେନଯୋଗେ ଭୁବନେଶ୍ୱର ଦେଇ ଦିଲ୍ଲୀ ନେଇଥାନ୍ତେ ବୋଲି ଜଣାପଡ଼ିଛି।