କୋଲକାତା : ପୋଲିସ୍ ହିଁ ମଣିଷର ଜଣେ ଉପକାରୀ ବନ୍ଧୁ। କେବଳ ସୁରକ୍ଷା ନୁହେଁ ବନ୍ଧୁ ଭାବରେ ଆମକୁ ସବୁ ବିପଦରୁ ସାହାଯ୍ୟ କରିଥା’ନ୍ତି ପୋଲିସ୍ । ଏହାକୁ ଆଉଥରେ ପ୍ରମାଣିତ କରିଛନ୍ତି କୋଲକାତାର ଜଣେ ଟ୍ରାଫିକ୍ ପୁଲିସ୍। ଏହି ଟ୍ରାଫିକ୍ ପୁଲିସ୍ ଜଣକ ମାଧ୍ୟମିକ ପରୀକ୍ଷା ଦେଉଥିବା ଜଣେ ଛାତ୍ରୀଙ୍କୁ ସାହାଯ୍ୟ କରି ଚର୍ଚ୍ଚାକୁ ଆସିଛନ୍ତି । ସୂଚନା ଅନୁସାରେ ଛାତ୍ରୀ ଜଣକ ପରୀକ୍ଷା ନିମେନ୍ତ ଆଡମିଟ୍ କାର୍ଡ ଭୁଲି ଆସିଥିଲେ । ଟ୍ରାଫିକ୍ ଫୁଲିସ୍ରେ ନିୟୋଜିତ ଥିବା ଚୈତନ୍ୟ ମଲ୍ଲିକ ନାମକ ଜଣେ ଯବାନ୍ ଛାତ୍ରୀଙ୍କ ଆଡମିଟ୍ କାର୍ଡ ଆଣିବା ପାଇଁ ପରୀକ୍ଷା ସେଣ୍ଟରଠାରୁ 5.5 କିଲୋମିଟର ଦୂର ଥିବା ଛାତ୍ରୀଙ୍କୁ ଘରୁକୁ ଯାଇ ଆଡମିଟ୍ କାର୍ଡ ଆଣିଥିଲେ ।
ଏହି ଘଟଣାଟି ସୋମବାର ଦିନର । ଜୈସବାଲ୍ ବିଦ୍ୟାମନ୍ଦିରର ସୁମନ ନାମ୍ନୀ ଛାତ୍ରୀଜଣକ ପରୀକ୍ଷା ଦେବା ପାଇଁ ପରୀକ୍ଷା ସେଣ୍ଟରରେ ଉପସ୍ଥିତ ହୋଇଥିବାବେଳେ ପରୀକ୍ଷା ଆରମ୍ଭ ହେବାର 5ମିନିଟ୍ ପୂର୍ବରୁ ଆଡମିଟ୍ କାର୍ଡ ଆଣିନଥିବାର ଜାଣିଥିଲେ । ଆଡମିଟ୍ କାର୍ଡ ନଥିବାରୁ ତାଙ୍କୁ ପରୀକ୍ଷା ସେଣ୍ଟର ଭିତରକୁ ପ୍ରବେଶ କରିବାକୁ ଦିଆଗଲା ନାହିଁ । ଏହାପରେ ଛାତ୍ରୀ ଜଣକ ପରୀକ୍ଷା ନିରୀକ୍ଷକକୁ କହି ଟ୍ରାଫିକ୍ ପୁଲିସ୍ ଚୈତନ୍ ମଲ୍ଲିକଙ୍କ ସାହାଯ୍ୟ ଭିକ୍ଷା କରିଥିଲେ। ଏହାପରେ ଟ୍ରାଫିକ୍ ପୁଲିସ୍ ଜଣକ ଛାତ୍ରୀଙ୍କୁ ପରୀକ୍ଷାରେ ବସିବାକୁ ଅନୁମତି ପାଇଁ ପରୀକ୍ଷା ନିରୀକ୍ଷକଙ୍କ ସହ କଥା ହୋଇ ନିଜେ ଆଡମିଟ୍ କାର୍ଡ ପାଇଁ ଯାଇଥିଲେ। ପରୀକ୍ଷା ସେଣ୍ଟରରୁ 5.5 କିଲୋମିଟର ଦୂରରେ ଥିବା ସାଉଥ୍ ତଙ୍ଗର ରୋଡ୍ ନିକଟରେ ପହଞ୍ଚି ଆଡମିଟ୍ କାର୍ଡ ଆଣିଥିଲେ । ଛାତ୍ରୀ ଜଣକ ଏନେଇ ଟ୍ରାଫିକ୍ ପୋଲିସ୍କୁ ଧନ୍ୟବାଦ ଜଣାଇଥିବାବେଳେ ତାଙ୍କର ଏପରି ସାହାଯ୍ୟକୁ ସମସ୍ତେ ପ୍ରଶଂସା କରିଛନ୍ତି । (ଏଜେନ୍ସି)