ରଞ୍ଜିତ୍ ପଣ୍ଡା
କୁଜଙ୍ଗ : ରାସ୍ତା ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା କୁହାଯାଉଥିବା ଘଟଣାର ସାତ ମାସପରେ ମୃତ ଯୁବକର ମାଆ ସୁଲୋଚନା ଦାଶ ସ୍ଥାନୀୟ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଅଦାଲତରେ ଅଭିଯୋଗ କରିଥିବା ଜଣାପଡ଼ିଛି । ଏନେଇ ଅଭିଯୋଗକାରୀ ସ୍ଥାନୀୟ ପ୍ରଥମ ଶ୍ରେଣୀ ବିଚାରବିଭାଗୀୟ ଅଦାଲତରେ ମାମଲା ରୁଜୁ କରିଥିଲେ । ଫଳରେ ମାନ୍ୟବର କୋର୍ଟଙ୍କ ନିର୍ଦ୍ଦେଶକ୍ରମେ କୁଜଙ୍ଗ ଥାନାରେ ଅଭିଯୁକ୍ତଙ୍କ ନାମରେ ବିଭିନ୍ନ ଦଫାରେ ମାମଲା ରୁଜୁ ହୋଇଥିବା ଜଣାପଡ଼ିଛି । କୁଜଙ୍ଗ ଥାନା ପକ୍ଷରୁ ମଧ୍ୟ ଅଭିଯୋଗକାରୀଙ୍କ ବୟାନ ରେକଡ଼ୟ କରାଯାଇଛି । ।
ଘଟଣାରୁ ପ୍ରକାଶଯେ, କୁଜଙ୍ଗର ସୁଲୋଚନାଙ୍କ ପୁତ୍ର ଅମୃତ କୁମାର ଦାଶ ମେକାନିକାଲ ବିଭାଗରେ ଡ଼ିପ୍ଲୋମା ପାସ କଲାପରେ ପାରାଦୀପର ଶିଳ୍ପାଂଚଳରେ ଛୋଟମୋଟ କାର୍ଯ୍ୟ କରୁଥିଲା । ୨୦୧୯ ମସିହା ଜୁଲାଇମାସ ୨୦ ତାରିଖରେ ସ୍ୱାମୀ ଏବଂ ବଡ଼ପୁଅ ଘରେ ନଥିଲେ । ସେହିଦିନ ଅମୃତ ଘରେ ଶୋଇଥିବାବେଳେ ତାର ମୋବାଇଲ ଫୋନକୁ ୧୫ଥର ଫୋନକଲ ଆସିଥିଲା । ପରେ ଦିନ ୧୨ଟା ସମୟରେ କୁଜଙ୍ଗ ଏବଂ ଭୂତମୁଣ୍ଡାଇ ଅଂଚଳର କିଛି ଯୁବକ ଆସିଥିଲେ । ତାକୁ ବଳପୂର୍ବକ ଘରୁ ନେଇଥିଲେ । ପ୍ରତିବାଦ କରିବାରୁ ସେ ଜଗତସିଂହପୁର ଯାଉଛନ୍ତି । ଅପରାହ୍ନ ୪ ଟା ସମୟରେ ଘରକୁ ଫେରି ଆସିବେ ବୋଲି ସେମାନେ କହିଥିଲେ । ମାତ୍ର ଅପରାହ୍ନ ୪ଟ ସମୟରେ ପୁଅ ଘରକୁ ନଫେରିବାରୁ ତାକୁ ଫୋନ କରାଯାଇଥିଲା। ମାତ୍ର ସେ ଥରିଲା ଥରିଲା କଣ୍ଠରେ ଅତ୍ୟନ୍ତ ଭୟଭୀତ ହୋଇ ଅଧଘଂଟା ମଧ୍ୟରେ ଘରେ ପହଂଚିବ ବୋଲି କହିଥିଲା। ପରେ ମୋବାଇଲ ସୁଇଚ ଅଫ୍ ହୋଇ ଯାଇଥିଲା । ପରବର୍ତୀ ସମୟରେ ରାତିପ୍ରାୟ ୯ଟା ସମୟରେ ପୁଅର ଦୁର୍ଘଟଣା ଜନିତ ମୃତ୍ୟୁ ହୋଇଥିବାନେଇ ସେ ଖବର ପାଇଥିଲେ । ମାତ୍ର ତାଙ୍କ ସହିତ ମୋଟର ସାଇକେଲରେ ଥିବା ଅନ୍ୟଜଣେ ଯୁବକ ଜୀବିତ ରହିଥିଲା । ତେବେ ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ଅଭିଯୋଗକାରୀ ଦାବୀ କରିଛନ୍ତି । ତିର୍ତ୍ତୋଲ ଥାନା ବାଲିପାଟଣା ନିକଟରେ ଅଭିଯୁକ୍ତମାନେ ତାଙ୍କୁ ହତ୍ୟା କରିବା ସହିତ ମୋଟର ସାଇକେଲକୁ ଭାଙ୍ଗି ଗୁଣ୍ଡଗୁଣ୍ଡକରି ଦୁର୍ଘଟଣାର ରୂପଦେଇଥିବା ସେ ଅଭିଯୋଗ କରିଛନ୍ତି ।
ସେହିପରିଭାବେ ପୁଅ ଅମୃତକୁ ପୂର୍ବରୁ ମଧ୍ୟ ଅନେକ ବାର ଆକ୍ରମଣ ଏବଂ ହତ୍ୟା ଷଡଯନ୍ତ୍ର କରାଯାଇଥିବା ସେ ଅଭିଯୋଗ କରିବା ସହିତ ଏଥିରେ କୁଜଙ୍ଗ, ଭୂତମୁଣ୍ଡାଇ ଏବଂ କେନ୍ଦ୍ରାପଡ଼ାର ଅଂଚଳର କିଛି ପେଶାଦାର ଅପରାଧୀମାନଙ୍କର ସମ୍ପୃକ୍ତି ରହିଥିବା ସେ ଅଭିଯୋଗ କରିଛନ୍ତି । ମାନ୍ୟବର ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଅଦାଲତଙ୍କ ନିର୍ଦ୍ଦେଶକ୍ରମେ କୁଜଙ୍ଗ ଥାନାରେ ବିଭିନ୍ନ ଦଫାରେ ମାମଲା ରୁଜୁ ହୋଇଛି । ତେବେ ଏହି ମାମଲାର ତଦ୍ଦନ୍ତ ଜାରୀ ରହିଥିବା କୁଜଙ୍ଗ ଥାନା ଅଧିକାରୀ ଦିଲ୍ଲୀପ କୁମାର ସାହୁ ପ୍ରକାଶ କରିଛନ୍ତି । ଏହା ପେଶାଦାର ଅପରାଧୀ ମାନଙ୍କର ହତ୍ୟାକାଣ୍ଡର ଏକ ନୂଆ ଫର୍ମୁଲା । ଏହି ଫର୍ମୁଲାରେ ଗତକିଛି ବର୍ଷ ମଧ୍ୟରେ ଏକାଧିକ ହତ୍ୟାକାଣ୍ଡ ଘଟିଥିବା ମୃତ ଅମୃତ କୁମାର ଦାଶଙ୍କ ବାପା ରମାକାନ୍ତ ଦାଶ ପ୍ରକାଶ କରିଛନ୍ତି । ତେବେ ଏହି ଘଟଣାର କ୍ରାଇମବ୍ରାଂଚ ତଦ୍ଦନ୍ତ କରାଯିବାକୁ ପରିବାର ପକ୍ଷରୁ ଦାବୀ କରାଯାଇଛି ।