ପୀଡ଼ିତାକୁ ନ୍ୟାୟ ଦେବା ପାଇଁ ରାତି ସାରା ଚାଲିଲା କୋର୍ଟ

Published: Mar 3, 2020, 9:52 am IST

ଝାଡଖଣ୍ଡ : ଭାରତୀୟ ନ୍ୟାୟବ୍ୟବସ୍ଥା ପ୍ରତି ଏବେ ଲୋକଙ୍କର ସନ୍ଦେହ ସୃଷ୍ଟି ହେଉଥିବାବେଳେ ଦୁଷ୍କର୍ମକାରୀଙ୍କୁ ଦଣ୍ଡ ଦେବା ପାଇଁ ଝାଡଖଣ୍ଡର ସେସନ୍‌ କୋର୍ଟ ରାତ୍ରିସାରା ଶୁଣାଣି କରିଛନ୍ତି । ନିକଟରେ ନିର୍ଭୟା ଦୋଷୀଙ୍କୁ ଫାଶୀ ଦଣ୍ଡାଦେଶ ଘୁଞ୍ଚି ଚାଲିଥିବାବେଳେ ଏହାକୁ ନେଇ ନ୍ୟାୟବ୍ୟବସ୍ଥାକୁ ଅନେକେ ଆଙ୍ଗୁଳି ଉଠାଇଛନ୍ତି । ତେବେ ଏହା ମଧ୍ୟରେ ଝାଡଖଣ୍ଡରେ ଜଣେ ପୀଡ଼ିତାଙ୍କୁ ନ୍ୟାୟ ଦେବା ଲାଗି ରାତି ସାରା ଅଦାଲତରେ ଶୁଣାଣି କରିବା ଆମ ନ୍ୟାୟବ୍ୟବସ୍ଥାର ବିଶ୍ବସନୀୟତାକୁ ପୁଣି ଥରେ ପ୍ରମାଣିତ କରୁଛି ।

ଝାଡଖଣ୍ଡର ଡୁମକା ଜିଲ୍ଲାର ରାମଗଡ ପୋଲିସ ଷ୍ଟେସନ ଅଞ୍ଚଳର  ଛଅ  ବର୍ଷର ନାବାଳିକାକୁ ଗଣଦୁଷ୍କର୍ମ ହତ୍ୟା ଘଟଣାରେ ସୋମବାର ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ କୋର୍ଟରେ ଶୁଣାଣି ହୋଇଥିଲା। ଜିଲ୍ଲା ସେସନ୍‌ ଜଜ୍‌ ମହମ୍ମଦ ତ ତୋଫିକୁଲ୍‌ ହାସନ କୋର୍ଟରେ ଏହି ମାମଲାର ଶୁଣାଣି କରିଥିଲେ । ଶୁଣାଣି ସମୟରେ ତିନି ଅଭିଯୁକ୍ତ କୋର୍ଟରେ ଉପସ୍ଥିତ ରହିଥିଲେ ।

କୋର୍ଟ କେବଳ ଆତଙ୍କବାଦୀ ସମ୍ବନ୍ଧୀୟ ମାମଲା ନୁହେଁ ବରଂ ପାପୀ, ଦୁଷ୍କର୍ମକାରୀଙ୍କୁ ଦଣ୍ଡ ଦେବା ପାଇଁ ବି କୋର୍ଟ ରାତି ସାରା ଖୋଲାଯାଇପାରେ ଏହା ପ୍ରମାଣିତ ହୋଇଛି । ଏକ ମାସ ମଧ୍ୟରେ ଗଣ ଦୁଷ୍କର୍ମ ଓ ହତ୍ୟା ଅଭିଯୋଗରେ ଦୋଷୀଙ୍କୁ କୋର୍ଟ ସଜା ଶୁଣାଇଛନ୍ତି । ଏହି ଶୁଣାଣି ଭାରତ ଇତିହାସରେ ସବୁଠାରୁ ଦ୍ରୁତତମ ବିଚାର ଭାବେ ବିବେଚିତ ହେବ ।

ସୂଚନାଯୋଗ୍ୟ, ଫେବୃଆରୀ 5 ତାରିଖରେ ନିଜ ସମ୍ପର୍କୀୟ ଦାଦା ଝିଆରୀକୁ ଚକୋଲେଟ୍‌ ଓ ବେଲୁନ୍‌ ଦେଇ ନିଜ ଘରକୁ ନେଇ ଯାଇ ଦୁଇ ସମ୍ପର୍କୀୟଙ୍କ ସହିତ ଗୋଟିଏ ନିରୀହର ଗଣ ଦୁଷ୍କର୍ମ କରିଥିଲେ । ନିରୀହ ଶିଶୁ ଜଣକ ଅସହନୀୟ ପୀଡ଼ା ସହି ନ ପାରି ବେହୋସ ହୋଇଗଲାପରେ ତା’ ତଣ୍ଟି ଚିପି ତାକୁ ମାରିଦେଇଥିଲେ ଅମଣିଷଗୁଡାକ । ପରେ ଶିଶୁ କନ୍ୟାର ଶବକୁ ଲୁଚାଇ ଦେଇଥିଲେ । ଫେବୃଆରୀ ସାତ ତାରିଖରେ ଶିଶୁ କନ୍ୟାର ଶବ ମିଳିଥିବାବେଳେ ପୋଲିସ୍‌ ଘଟଣାର ତଦନ୍ତ କରି ଫେବୃଆରୀ 13 ତାରିଖରେ ଅଭିଯୁକ୍ତକୁ ଗିରଫ କରିଥିଲା । ଘଟଣାର କ୍ରୂରତାକୁ ଦେଖି କୋର୍ଟ ଏହି ମାମଲାର ଯଥାଶୀଘ୍ର ଶୁଣାଣି କରିବା ସହିତ ଗତକାଲି ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ଏହି ମାମଲାର ଶୁଣାଣି କରିଛନ୍ତି ।

Related posts