ଭିଡ ଜମାଇବାରୁ ପୋଲିସ୍‌ କଲା କାର୍ଯ୍ୟାନୁଷ୍ଠାନ

Published: Mar 16, 2020, 12:17 pm IST

କେରଳ : ଭାରତରେ କରୋନା ଭାଇରସ୍‌ର ମାମଲା ବଢି ଚାଲିଥିବାବେଳେ ସରକାରଙ୍କ ତରଫରୁ ସତର୍କ ରହିବାକୁ ଅନୁରୋଧ କରାଯାଇଛି । ଏନେଇ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର କଡା ଦୃଷ୍ଟି ରଖିଥିବା ସତ୍ତ୍ବେ କିଛି ଲୋକଙ୍କ ଦାୟିତ୍ବହୀନତା ମଧ୍ୟ ଦେଖିବାକୁ ମିଳୁଛି। କେରଳ କୋଚିନ୍‌ ବିମାନବନ୍ଦରଠାରେ ଜମା ହୋଇଥିବା 79 ଲୋକଙ୍କ ଉପରେ ମାମଲା ରୁଜୁ କରାଯାଇଛି । ଏକଜୁଟ୍‌ ହେବା ପାଇଁ ପ୍ରତିବନ୍ଧକ ରହିଥିବା ସତ୍ତ୍ବ ଏହି ଲୋକମାନେ ବିମାନ ବନ୍ଦରଠାରେ ଜଣେ ସେଲିବ୍ରିଟିଙ୍କୁ ସ୍ବାଗତ କରିବା ପାଇଁ ଏକାଠି ହୋଇଥିଲେ ।

ପୋଲିସଙ୍କ କହିବାନୁସାରେ 4ଜଣ ଜଣାଶୁଣା ଓ ଅନ୍ୟ 75 ଜଣ ଅଜଣା ଲୋକଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି । ରବିବାର ରାତ୍ରିରେ ଏକ ରିଅଲିଟି ଶୋ’ର ପ୍ରତିଯୋଗୀଙ୍କୁ ସ୍ବାଗତ କରିବା ପାଇଁ ଏହି ଲୋକମାନେ ଏକଜୁଟ୍‌ ହୋଇଥିଲେ । କେରଳେ କୌଣସି ଜାଗାରେ ସାମୂହିକ ଉପସ୍ଥିତ ରହିବା ଉପରେ କଟକଣ ଜାରି କରାଯାଇଛି । ଏହି ନିୟମର ଉଲ୍ଲଂଘନ କରିଥିବା ହେତୁ ଏହି 79ଜଣ ଲୋକଙ୍କ ଉପରେ ପୋଲିସ୍‌ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ସର୍ବପ୍ରଥମେ କେରଳରୁ ହିଁ କରୋନା ମାମଲା ମିଳିଥିଲା । ଏବେ ରାଜ୍ୟରେ ମୋଟ 22ଟି କୋରାନା ମାମଲା ସାମ୍ନାକୁ ଆସିଛି ।

କରୋନା ଭାଇରସ ପାଇଁ ବିଭିନ୍ନ ରାଜ୍ୟରେ ସ୍କୁଲ, କଲେଜ, ସିନେମା ହଲ୍‌ ବନ୍ଦ କରାଯିବା ସହିତ ଫିଲ୍ମୋତ୍ସବ ତଥା ଆଇପିଏଲ୍‌ ଆୟୋଜନକୁ ମଧ୍ୟ ସ୍ଥଗିତ ରଖାଯାଇଛି ।(ଏଜେନ୍ସି)

Related posts