କରୋନାକୁ ନେଇ କଳାବଜାରୀ: ଦୋକାନ ସିଲ କଲା ବିଏମ୍‌ସି

Published: Mar 17, 2020, 9:38 am IST

ହେମାଙ୍ଗ ପ୍ରସାଦ ରାଉଳ

ବ୍ରହ୍ମପୁର: ଦିନକୁ ଦିନ କରୋନା ସଂକ୍ରମଣରୁ ସଚେତନତା ପାଇଁ ପ୍ରଶାସନ ପକ୍ଷରୁ ପଦେକ୍ଷପ ନିଆଯାଉଥିବାବେଳେ କେତେକ ଦୋକାନୀ ଏହାର ଫାଇଦା ଉଠାଇ କଳାବଜାରୀ ଆରମ୍ଭ କରିଛନ୍ତି । ଫଳରେ ମହାନଗର ନିଗମ ଏଥିପ୍ରତି ସଜାଗ ହୋଇ ଗତକାଲି ଜନୈକ ମେଡ଼ିସିନ୍ ଦୋକାନର ଲାଇସେନସ ପ୍ରତ୍ୟାହାର କରିବା ସହ ଦୋକାନକୁ ସିଲ୍ କରିଦେଇଛନ୍ତି । ସୂଚନାଯୋଗ୍ୟ ସିଟି ହସ୍‌ପିଟାଲ୍ ରୋଡ଼୍‌ରେ ଥିବା ଶିବା ହୋମିଓ ହଲ୍ ୨୦ ଟଙ୍କାରେ ମିଳୁଥିବା ମାସ୍କକୁ ୮୦ ଟଙ୍କାରେ ବିିକ୍ରି କରୁଥିବା ନେଇ ମହାନଗର ନିଗମ କମିଶନର ଚକ୍ରବର୍ତ୍ତୀ ସିଂ ରାଠୋର କୌଣସି ବିଶେଷ ସୂତ୍ରରୁ ଖବର ପାଇ ଦୋକାନରେ ଚଢ଼ାଉ କରିଥିଲେ ।

କେନ୍ଦ୍ର ସରକାରଙ୍କ ଉପଭୋକ୍ତା ଆଇନ ଉଲ୍ଲଂଘନ କରୁଥିବା ଅଭିଯୋଗରେ ଏହି ହୋମିଓ ହଲ୍‌ର ଲାଇସେନସ ରବ୍ଦ କରିବା ସହ ଦୋକାନକୁ ବନ୍ଦ କରିଦେଇଛନ୍ତି । ପରବର୍ତ୍ତୀ ଆଦେଶ ନ ଆସିବା ପର୍ଯ୍ୟନ୍ତ ଦୋକନଟି ବନ୍ଦ ରହିବ ବୋଲି ନିର୍ଦ୍ଦେଶନାମା ଜାରି ହୋଇଛି । ଏହିଭଳି ସହରରେ ପ୍ରାୟ ବିଭିନ୍ନ ଦୋକାନରେ ମାସ୍କ, ସେନିଟାଇଜର ଏବଂ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀର କଳାବଜାରୀ  ହେଉଥିବା ଅଭିଯୋଗ ହୋଇଛି। ତେଣୁ ତୁରନ୍ତ ପ୍ରଶାସନ ଏଗୁଡ଼ିକ ଉପରେ ଚଢ଼ାଉ କରିବାକୁ ଦାବି ହୋଇଛି। ଏହି କାର୍ଯ୍ୟକୁ ବ୍ରହ୍ମପୁରବାସୀ ସ୍ୱାଗତ ଜଣାଇଛନ୍ତି।

Related posts