ସମୀକ୍ଷା ବ୍ୟୁରୋ
ଭୁବନେଶ୍ୱର: ଚଳିତ ବର୍ଷର ମାଟ୍ରିକ୍ ପରୀକ୍ଷା ସରିଯାଇଛି। ଏବେ ପାଳି ଖାତା ମୂଲ୍ୟାୟନର। କିନ୍ତୁ କରୋନା ଯୋଗୁଁ ଏନେଇ ମଧ୍ୟ କଟକଣା ଜାରି କରାଯାଇଛି । କରୋନା ପାଇଁ ମାଟ୍ରିକ୍ ଖାତା ମୂଲ୍ୟାୟନ ବେଳେ କିପରି ସତର୍କତା ଅବଲମ୍ବନ କରିବ, ସେ ନେଇ ସବୁ ଡିଇଓ, ବିଇଓ ଓ ଚିଫ୍ ଏକ୍ଜାମିନରଙ୍କୁ ଭିଡିଓ କନଫରେନସିଂ ଜରିଆରେ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଛି । ପରୀକ୍ଷା କେନ୍ଦ୍ରରେ ଗହଳି ରୋକିବାକୁ ସବଜେକ୍ଟ ଓ୍ୱାଇଜ୍ ଖାତା ଦେଖା ହେବ। ତିନୋଟି ପର୍ଯ୍ୟାୟରେ ଖାତା ଦେଖା ହେବ ବୋଲି ନିର୍ଦ୍ଦେଶ ରହିଛି । ସକାଳ 8ଟା 30ରୁ ଅପରାହ୍ନ 4ଟା 30 ଯାଏଁ ଖାତା ଦେଖା ହେବ । ସେହିପରି ଖାତା ମୂଲ୍ୟାୟନକାରୀମାନେ ସାନିଟାଇଜର୍ ବ୍ୟବହାର କରିବା ସହ ନିଜ ମଧ୍ୟରେ ଦୂରତା ରକ୍ଷା କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।
ମାର୍ଚ୍ଚ 19ରୁ ଏପ୍ରିଲ୍ 10 ତାରିଖ ଯାଏଁ ରାଜ୍ୟରେ ଖାତା ଦେଖା ଚାଲିବ । ରାଜ୍ୟର 61ଟି ମୂଲ୍ୟାୟନ କେନ୍ଦ୍ରରେ 16 ହଜାର ମୂଲ୍ୟାୟନକାରୀଏହି କାର୍ଯ୍ୟରେ ନିୟୋଜିତ ହେବେ । ରାଜ୍ୟ ସରକାର କରୋନା ନେଇ ବେଶ୍ କଡା ପଦକ୍ଷେପ ଗ୍ରହଣ କରିଛନ୍ତି ।