ଯେଉଁ ଯୁଦ୍ଧରେ ବାଦଶାହଙ୍କ ଜୀବନ ପ୍ରତି ବିପଦ ନାହିଁ, ତାହା ଯୁଦ୍ଧ ନୁହେଁ ରାଜନୀତି: ସିଦ୍ଧୁ

Published: Mar 1, 2019, 5:48 pm IST

ସବୁବେଳେ କିଛି ନା କିଛି ବିବାଦୀୟ ବୟାନ ଦେଇ ଚର୍ଚ୍ଚାରେ ରହୁଥିବା କଂଗ୍ରେସ ନେତା ନବଜୋତ ସିଂ ସିଦ୍ଧୁ ଏବେ ପୁଣିଥରେ ଟ୍ଵିଟ୍‌ କରି ଚର୍ଚ୍ଚାରେ ରହିଛନ୍ତି । ଭାରତ-ପାକିସ୍ତାନ ମଧ୍ୟରେ ଚାଲିଥିବା ଉତ୍ତେଜନା ପରିସ୍ଥିତିରେ ଚାଣକ୍ୟଙ୍କ ଏକ ବାକ୍ୟକୁ ଟ୍ଵିଟ୍‌ କରିଛନ୍ତି ସିଦ୍ଧୁ – ‘ଯେଉଁ ଯୁଦ୍ଧରେ ବାଦଶାହଙ୍କ ଜୀବନ ପ୍ରତି ବିପଦ ନାହିଁ, ତାହା ଯୁଦ୍ଧ ନୁହେଁ ରାଜନୀତି’। ଯୁଦ୍ଧ  କରିବା  ଉତ୍ତମ ସରକାରର କାମ ନୁହେଁ  । ନିଜର ହୀନ ରାଜନୈତିକ ଉଦ୍ଦେଶ୍ୟ ପୂରଣ ପାଇଁ କେତେ ନିର୍ଦ୍ଦୋଷୀ ଲୋକଙ୍କର ଜୀବନ ନିଆଯାଇଥାଏ ବୋଲି କହିଛନ୍ତି ସିଦ୍ଧୁ ।  ତେବେ ସିଦ୍ଧୁ ଏଥିରେ କାହାର ନାମ ନେଇନାହାନ୍ତି । କିନ୍ତୁ ଏହି ଟ୍ଵିଟ୍‌କୁ ଲକ୍ଷ୍ୟ କଲେ ସେ ନରେନ୍ଦ୍ର ମୋଦିଙ୍କୁ ହିଁ ଟାର୍ଗେଟ୍‌ କରିଛନ୍ତି ବୋଲି ଜଣାପଡୁଛି ।  ତାଙ୍କ କହିବା କଥା ହେଉଛି ଏବେ ଭାରତ ପାକିସ୍ତାନ ମଧ୍ୟରେ ଯେଉଁ ପରିସ୍ଥିତି ସୃଷ୍ଟି ହୋଇଛି ତାହା କେବଳ ମୋଦିଙ୍କ ରାଜନୀତି ପାଇଁ ।  ପୂର୍ବରୁ ପୁଲୱାମା ଆତଙ୍କବାଦୀ ଆକ୍ରମଣ ପରେ ମନ୍ତବ୍ୟ ଦେଇ ବିବାଦୀୟ ହୋଇପଡ଼ିଥିଲେ ସିଦ୍ଧୁ । ଏହି କାରଣ ପାଇଁ ତାଙ୍କୁ ଲୋକପ୍ରିୟ ‘କପିଲ୍‌ ଶର୍ମା’ ଶୋ’ରୁ ମଧ୍ୟ ବିଦାୟ ନେବାକୁ ପଡିଛି ।

Related posts