ଋଷିକେଶ : କରୋନା ଭାଇରସର ସଂକ୍ରମଣକୁ ରୋକିବା ଦିଗରେ ସାରା ଦେଶରେ 14 ଏପ୍ରିଲ୍ ପର୍ଯ୍ୟନ୍ତ ଲକ୍ ଡାଉନ୍ ଜାରି ରହିଛି । ଲକ୍ ଡାଉନ୍ କଡାକଡି ପାଳନ କରିବା ପାଇଁ ପୋଲିସ୍ ବିଭାଗ ତତ୍ପର ରହିଛି । ଲକ୍ ଡାଉନ୍ ନିୟମ ଉଲ୍ଲଂଘନକାରୀଙ୍କୁ ପୋଲିସ୍ ଦଣ୍ଡ ମଧ୍ୟ ଦେଉଛି । ତେବେ ଉତ୍ତରାଖଣ୍ଡରେ ଲକ୍ ଡାଉନ୍ ଉଲ୍ଳଂଘନ କରିଥିବା ବିଦେଶୀ ପର୍ଯ୍ୟଟକଙ୍କୁ ପୋଲିସ୍ ଏକ ନିଆରା ଦଣ୍ଡ ଦେଇଛନ୍ତି । ଉତ୍ତରାଖଣ୍ହର ଗଙ୍ଗା ନଦୀ କୂଳରେ କିଛି ବିଦେଶୀ ପର୍ଯ୍ୟଟକ ସାମୂହିକ ଭାବେ ବସିଥିଲ । ଲକ୍ ଡାଉନ୍ ନିୟମ ଉଲ୍ଲଂଘନ ଅଭିଯୋଗରେ ଏହି ବିଦେଶୀ ପର୍ଯ୍ୟଟକଙ୍କୁ ପୋଲିସ୍ ସଜ୍ଜା ଦେଇଛି ।
ଲକ୍ ଡାଉନ୍ ଉଲ୍ଲଂଘନକାରୀ ଏହି ବିଦେଶୀ ପର୍ଯ୍ୟଟକଙ୍କୁ ପୋଲିସ୍ 500 ଥର ଏକ ଲାଇନ୍ ଲେଖିବାର ଦଣ୍ଡ ଦେଇଛନ୍ତି । ପୋଲିସ୍ ଏହି ପର୍ଯ୍ୟଟକଙ୍କୁ ’ମୁଁ ଲକ୍ ଡାଉନକୁ ଉଲ୍ଲଂଘନ କରିଛି ଏଥିପାଇଁ ମୋତେ କ୍ଷମା କର’ ବୋଲି ଏକ ଲାଇନ୍ 500 ଥର ଲେଖିବାର ଦଣ୍ଡ ଦେଇଛନ୍ତି ।
ତପୋବନ ପୋଲିସ୍ ଅଧିକାରୀ କହିଛନ୍ତି ଯେ, କିଛି ବିଦେଶୀ ଲକ୍ ଡାଉନ୍ ନିୟମକୁ ଭାଙ୍ଗି ଗଙ୍ଗା ନଦୀ କୂଳରେ ଏକାଠି ହୋଇଥିଲେ । ଏହି ବିଦେଶୀଙ୍କ ମଧ୍ୟରେ ଇସ୍ରାଏଲ୍, ଅଷ୍ଟ୍ରେଲିଆ, ମେକ୍ସିକୋ ଓ ଅନ୍ୟ ୟୁରୋପ ଦେଶର ପର୍ଯ୍ୟଟକମାନ ରହିଥିଲେ । (ଏଜେନ୍ସି)