ଭୁବନେଶ୍ବର : କରୋନା ମୁକାବିଲା ପାଇଁ ସାରା ଦେଶ ଲକଡାଉନ୍ ଥିବା ବେଳେ କୃଷି କାର୍ଯ୍ୟକୁ କଟକଣା ମୁକ୍ତ କରିଛନ୍ତି ଓଡ଼ିଶା ସରକାର । ଓଡ଼ିଶା ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ‘ଆମ କୃଷି’ ନାମରେ ଏକ ନିଶୁଳ୍କ ଟେଲିଫୋନ୍ ସେବା ଆରମ୍ଭ କରିଛନ୍ତି । 18001025166 ଏହି ନମ୍ବରରେ ଫୋନ୍ କରି କୃଷି ଓ ଆନୁଷଙ୍ଗିକ କ୍ଷେତ୍ରର ବୈଷୟିକ ସମସ୍ୟାର ସମାଧାନ ସମ୍ପର୍କରେ ପ୍ରତ୍ୟେକ କୃଷି ଭାଇ ଭଉଣୀମାନେ ଜାଣିପାରିବେ। ପ୍ରତି ସୋମବାରରୁ ଶନିବାର ଦିନ 12ଟାରୁ ରାତି 8ଟା ଯାଏଁ ଏହି ନମ୍ବର ଖୋଲା ରହିବ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଯଦି ରାତି 8ଟା ପରେ ଯଦି କେହି ଫୋନ୍ ନଉଠାନ୍ତି, ତେବେ ଏହି ଫୋନ୍ରେ ପଚାରାଯାଇଥିବା ପ୍ରଶ୍ନ ରେକର୍ଡ ହୋଇଯିବ ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି କୃଷି ସଚିବ ସୌରଭ ଗର୍ଗ ।
ସେହିପରି କୃଷିଜାତ ଦ୍ରବ୍ୟ ପରିବହନ ମଧ୍ୟ ନିର୍ବିଘ୍ନରେ କରାଯିବା ନେଇ ନିର୍ଦ୍ଦେଶ ଦିଆଯାଇଛି। କୃଷିଜାତ ଦ୍ରବ୍ୟ ପରିବହନ ପ୍ରତି ବିଶେଷ ଦୃଷ୍ଟିଦେବାକୁ ପୋଲିସ୍ ଡିଜିଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ମାଛ ଚାଷ, ଫୁଲ ଚାଷ, ଲକ୍ ଡାଉନ୍ କଟକଣା ମୁକ୍ତ ରହିବ ବୋଲି ସୂଚନା ରହିଛି। ଲକ୍ ଡାଉନ୍ ବେଳେ ରାସାୟନିକ ସାର୍ ଦୋକାନ ଖୋଲା ରହିବ ।