ତିନି ସଚିବଙ୍କୁ ତିନି ଜିଲ୍ଲାର ଦାୟିତ୍ବ

Published: Apr 23, 2020, 11:05 am IST

ଭୁବନେଶ୍ବର: କରୋନା ସହ ମୁକାବିଲା କରିବା ପାଇଁ ରାଜ୍ୟ ସରକାର ବେଶ୍‌ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ସମ୍ପ୍ରତି ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଖୋର୍ଦ୍ଧା ଜିଲ୍ଲା ପରେ ଭଦ୍ରକ, ବାଲେଶ୍ୱର ଓ ଯାଜପୁର ଜିଲ୍ଲାରୁ ଅଧିକ ସଂଖ୍ୟକ କରୋନା ପଜିଟିଭ୍ ବାହାରୁ ଥିବାରୁ ଏହା ରାଜ୍ୟ ସରକାରଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି। ତେଣୁ  ସ୍ଥିତି ଉପରେ ନିୟନ୍ତ୍ରଣ ଆଣିବାକୁ ୩ ବରିଷ୍ଠ ସଚିବଙ୍କୁ ଏହି ୩ ଜିଲ୍ଲାର ଦାୟିତ୍ୱ ଦିଆଯାଇଛି। ଏବେ ଯାଜପୁର, ଭଦ୍ରକ ଓ ବାଲେଶ୍ବର ଅଞ୍ଚଳରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଚିହ୍ନଟ ହୋଇଛି । ବାଲେଶ୍ବରରେ 8ଜଣ ଚିହ୍ନଟ ହୋଇଥିବାବେଳେ ଭଦ୍ରକ ଜିଲ୍ଲାରେ 11 ଜଣ ଓ ଯାଜପୁରରୁ ମଧ୍ୟ 8 ଜଣ ଚିହ୍ନଟ ହୋଇଛନ୍ତି । ଏହି ସବୁ ଜିଲ୍ଲାମାନଙ୍କରେ ବାହାର ରାଜ୍ୟରୁ ଅଧିକ ଲୋକ ପଶି ଆସିଥିବାର ସୂଚନା ରହିଥିଲା । ଏହାପରେ ଏହି ତିନି ଜିଲ୍ଲା ପ୍ରତି ସରକାର ବିଶେଷ ଦୃଷ୍ଟି ଦେଇଛନ୍ତି । ଏହି କ୍ରମରେ ଆଜି ତିନି ଜଣ ସଚିବଙ୍କୁ ଏହି ତିନି ଜିଲ୍ଲାର ଦାୟିତ୍ବ ଦିଆଯାଇଛି । ଏସ୍.କେ. ଲୋହାନୀଙ୍କୁ ଭଦ୍ରକ, ଏସ୍.କେ. ବଶିଷ୍ଠଙ୍କୁ ବାଲେଶ୍ବର ଓ ପି.କେ. ମେହେର୍ଦ୍ଦାଙ୍କୁ ଯାଜପୁର ଜିଲ୍ଲାର ଦାୟିତ୍ବ ଦିଆଯାଇଛି । ସଚିବମାନେ ତିନି ଜିଲ୍ଲା ଗସ୍ତ କରି କୋଭିଡ୍‌ ମୁକାବିଲାର ତଦାରଖ କରିବେ । ତଦାରଖ କରିବା ସହ ସମ୍ପୃକ୍ତ ଜିଲ୍ଲା ପ୍ରଶାସନକୁ ସହାୟତା କରିବେ ।

Related posts