ଆନ୍ଧ୍ର ରାଜଭବନରେ କରୋନା : ରାଜଭବନର ଚାରି ଜଣ କର୍ମଚାରୀ କରୋନାରେ ସଂକ୍ରମିତ

Published: Apr 27, 2020, 10:33 am IST

ଆନ୍ଧ୍ରପ୍ରଦେଶ : କରୋନା ଯୋଗୁଁ ଦେଶରେ ସ୍ଥିତି ଜଟିଳ ରହିଛି।  ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନଙ୍କ କାର୍ଯ୍ୟାଳୟରେ ଏବେ କରୋନା ପହଞ୍ଚିଛି।  ଆନ୍ଧ୍ରପ୍ରଦେଶ ରାଜଭବନର ଚାରି ଜଣ କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏହି ଚାରି ଆକ୍ରାନ୍ତଙ୍କ ମଧ୍ୟରେ ଜଣେ ସୁରକ୍ଷା ଅଧିକାରୀ, ରାଜ୍ୟପାଳଙ୍କ ବ୍ୟକ୍ତିଗତ ରୋଷୟା, ଜଣେ ନର୍ସ ଓ ଅନ୍ୟ ଜଣେ ଆଟେଣ୍ଟାଣ୍ଟ ରହିଛନ୍ତି। ପଜିଟିଭ୍‌ ଆସିବାପରେ ରାଜଭବନକୁ ବିଶୋଧନ କରାଯାଇଛି। ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନଙ୍କ ସରକାରୀ ବାସଭବନ ବିଜୟଓ୍ବାଡାରେ ରହିଥିବାବେଳେ ଏହି ଅଞ୍ଚଳଟି ଏବେ କରୋନା ହଟସ୍ପଟ୍‌ ରହିଛି। ଏଠାରେ 100ରୁ ଅଧିକ କରୋନା ସଂକ୍ରମିତ ରହିଛନ୍ତି।  ସୂଚନାଯୋଗ୍ୟ ରାଜ୍ୟରେ 1000ରୁ ଉର୍ଦ୍ଧ୍ବ କରୋନା ସଂକ୍ରମିତ ରହିଥିବାବେଳେ ମୃତ୍ୟୁ ସଂଖ୍ୟା 31ରେ ପହଞ୍ଚିଛି।

ସେହିପରି ଆନ୍ଧ୍ରପ୍ରଦେଶର କର୍ଣ୍ଣୁଲ୍‌ ସାଂସଦଙ୍କ ପରିବାରର 6ଜଣ ସଦସ୍ୟ କରୋନା ଆକ୍ରାନ୍ତ ହୋଇଛନ୍ତି। କୁର୍ନୁଲ ସାଂସଦ ଡ ସଞ୍ଜୀବ କୁମାରଙ୍କ 83 ବର୍ଷ ବୟସ୍କା ପିତା ଅତି ଗୁରୁତର ଅବସ୍ଥାରେ ହାଇଦ୍ରାବାଦକୁ ସ୍ଥାନାନ୍ତର କରାଯାଇଥିବା ବେଳେ ଅନ୍ୟ ପାଞ୍ଚଜଣ ପରିବାର ସଦସ୍ୟ ମଧ୍ୟ ଆନ୍ଧ୍ରପ୍ରଦେଶର କୁର୍ଣ୍ଣୁଲରେ ନିର୍ମିତ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

Related posts