ମନ୍ଦିରରେ ଶୋଇଥିବା ଅବସ୍ଥାରେ ଦୁଇ ସାଧୁଙ୍କୁ ହତ୍ୟା କଲା ଯୁବକ

Published: Apr 28, 2020, 12:33 pm IST

ଉତ୍ତରପ୍ରଦେଶ : ମହାରାଷ୍ଟ୍ର ପାଲଘରରେ ସାଧୁଙ୍କ ହତ୍ୟା ବିବାଦ ନ ଥମୁଣୁ ଉତ୍ତରପ୍ରଦେଶ ବୁଲନ୍ଦସହରରୁ ପୁଣି ସାଧୁଙ୍କ ହତ୍ୟାର ଖବର ମିଳିଛି । ମିଳିଥିବା ସୂଚନା ଅନୁସାରେ ବୁଲନ୍ଦସହରର ଜଣେ ବ୍ୟକ୍ତି ମନ୍ଦିର ପରିସରରେ ଥିବା ଦୁଇ ସାଧୁଙ୍କୁ ଏକ ହତିଆର ସାହାଯ୍ୟରେ ହତ୍ୟା କରିଛନ୍ତି । ସାଧୁମାନେ ଶୋଇଥିବା ସମୟରେ ଅଭିଯୁକ୍ତ ଜଣକ ଦୁଇ ସାଧୁଙ୍କ ହତ୍ୟା କରିଥିବାର ସୂଚନା ରହିଛି ।

ବୁଲନ୍ଦସହରର ଅନୁପସହର କୋତବାଲୀ କ୍ଷେତ୍ରର ପଗୋନା ଗ୍ରାମର ଏକ ଶିବ ମନ୍ଦିରରେ ରହୁଥିବା 55 ବର୍ଷୀୟ ସାଧୁ ଜଗନଦାସ ଓ 35 ବର୍ଷୀୟ ସାଧୁ ସେବାଦାସଙ୍କୁ ସୋମବାର ରାତ୍ରିରେ ହତ୍ୟା କରାଯାଇଛି । ମଙ୍ଗଳବାର ସକାଳୁ ସକାଳୁ ଦୁଇ ସାଧୁଙ୍କ ଶବକୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଦେଖିବାକୁ ମିଳିଥିଲା । ଗ୍ରାମବାସୀ ମାନେ ଅଭିଯୁକ୍ତଙ୍କୁ ଧରି ଦେଇଥିଲେ। ଏହି ଘଟଣାକୁ ନେଇ ଘଟଣାସ୍ଥଳରେ ପ୍ରବଳ ଭିଡ ପରିଲକ୍ଷିତ ହୋଇଥିଲା । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତକୁ ଗିରଫ କରିଛି । ଅଭିଯୁକ୍ତ ଜଣକ ନିଶାବେପାରୀ ବୋଲି ଜଣାପଡିଛି । ତଦନ୍ତ ପରେ ଏହି ହତ୍ୟାକାଣ୍ଡର କାରଣ ମଧ୍ୟ ସାମ୍ନାକୁ ଆସିଛି । ପୋଲିସ୍‌ ତରଫରୁ ମିଳିଥିବା ସୂଚନା ଅନୁସାରେ ଏକ ଚିମୁଟା ପାଇଁ ଏହି ହତ୍ୟାକାଣ୍ଡ ଘଟିଛି ।  ଅଭିଯୁକ୍ତ ଜଣକ କିଛି ଦିନ ପୂର୍ବରୁ ସାଧୁଙ୍କର ଚିମଟା ନେଇଯାଇଥିଲା । ଏହାପରେ ସାଧୁ ଏହି ଘଟଣାକୁ ନେଇ ତାଙ୍କୁ ତାଗିଦ୍‌ କରିବା ସହିତ ଗାଳି କରିଥିଲେ । ଏହା ପରେ ଅଭିଯୁକ୍ତ ଜଣକ ଅପମାନ ବୋଧରେ ଗତକାଲି ରାତ୍ରିରେ ସାଧୁଙ୍କ ହତ୍ୟା କରିଥିବାର ସୂଚନା ରହିଛି ।

ଲକ୍‌ ଡାଉନ୍‌ ସମୟରେ ଗତ ଦୁଇ ସପ୍ତାହ ଭିତରେ ସାଧୁଙ୍କ ହତ୍ୟା କରାଯାଉଥିବାର ଏହା ଦ୍ବିତୀୟ ଘଟଣା । ଏପ୍ରିଲ୍‌ 16 ତାରିଖରେ ପାଲଘରରେ ଦୁଇ ସାଧୁଙ୍କ ସମେତ ଜଣେ ଡ୍ରାଇଭରଙ୍କୁ ଭିଡ ହିଂସା ଦ୍ବାରା ହତ୍ୟା କରାଯାଇଥିଲା ।

ଏହି ଘଟଣାକୁ ନେଇ ସାରା ଦେଶରେ ଚର୍ଚ୍ଚା ଚାଲିଛି । ସନ୍ଥ ସମାଜ ଏନେଇ କ୍ରୋଧ ପକାଶ କରିଥିଲେ । ଏହି ଘଟଣା ପାଇଁ ୟୁପିର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କୁ ଫୋନ୍‌ ଯୋଗେ ଏହି ଘଟଣା ସମ୍ପର୍କରେ ଆଲୋଚନା କରିଥିଲେ । କିନ୍ତୁ ଏବେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ରାଜ୍ୟରେ ବି ଦୁଇ ସାଧୁଙ୍କର ହତ୍ୟା କରାଯାଇଛି । ମୁଖ୍ୟମନ୍ତ୍ରୀ ଏହି ଘଟଣାର ରିପୋର୍ଟ ତଲବ କରିଛନ୍ତି । (ଏଜେନ୍ସି)

Related posts