ବାହା ହେବା ପାଇଁ ରୋଗୀ ପାଲଟିଲେ ଯୁବକ, ଆମ୍ବୁଲାନ୍ସରେ କନ୍ୟାକୁ ନେଇକି ଆସିଲେ

Published: May 1, 2020, 7:47 am IST

ମୁଜାଫରନଗର : ଦେଶରେ କରୋନା ମୁକାବିଲା ଲାଗି ଲକ୍‌ ଡାଉନ ଜାରି ରହିଛି । କିନ୍ତୁ ଏହି ଲକ୍‌ ଡାଉନ୍‌ ସମୟରେ ବହୁ ଜାଗାରେ ଅଜବ ଅଜବ ଘଟଣା ମାନ ଘଟୁଥିବାର ଦେଖାଯାଉଛି। କେହି କେହି ପୋଲିସ୍‌ ଆଖିରେ ଧୂଳି ଦେଇ ନିଜ କାମ କରୁଛନ୍ତି । ଏମିତି ଏକ ଘଟଣା ଉତ୍ତରପ୍ରଦେଶର ମୁଜାଫରନଗରରୁ ସାମ୍ନାକୁ ଆସିଛି । ଏଠାରେ ଖୌତଲୀ ବିଧାନସଭା କ୍ଷେତ୍ରରୁ ଜଣେ ଯୁବକ ବିବାହ କରିବା ପାଇଁ କି ପ୍ରକାର ଫନ୍ଦି କରିଛନ୍ତି, ତାହା ଏବେ ଏଠାରେ ଚର୍ଚ୍ଚାର ବିଷୟ ପାଲଟିଛି ।

ମିଳିଥିବା ସୂଚନା ଅନୁସାରେ ବିବାହ କରିବା ପାଇଁ ଯୁବକ ଜଣକ ନିଜକୁ ମିଛରେ ରୋଗୀ ଭାବେ ଅବିହିତ କରିଥିଲା  ଏବଂ ଆମ୍ବୁଲାନ୍ସ ସାହାଯ୍ୟରେ ଗାଜିଆବାଦର ଶହୀନଗର ଯାଇ ବଧୂକୁ ନେଇକି ଆସିଲା ।

ଯୁବକ ଜଣକ ନିଜ ପିତା ଓ ଜଣାଶୁଣା ଆମ୍ବୁଲାନ୍ସ ଡ୍ରାଇଭର ସାହାଯ୍ୟରେ ଏପରି କାମ କରିପାରିଛି । ତେବେ ଯୁବକ ଜଣକ ଯେଉଁ ଅଞ୍ଚଳରେ ରହୁଛନ୍ତି ସେ ଅଞ୍ଚଳଟିକୁ ଜିଲ୍ଲା ପ୍ରଶାସନ ପୂର୍ବରୁ ସିଲ୍‌ କରିଛନ୍ତି । ଏହି ଅଞ୍ଚଳରେ କରୋନା ପଜିଟିଭ୍‌ ରହିଥିବାରୁ ପ୍ରଶାସନ କଡା ନଜରରେ ରଖିଛନ୍ତି ।

ବିବାହ ଘଟଣା ସାମ୍ନାକୁ ଆସିବା ପରେ ଜିଲ୍ଲା ପ୍ରଶାସନ ଯୁବକ ଓ ତାଙ୍କ ସ୍ତ୍ରୀକୁ କ୍ବାରେଣ୍ଟିନ୍‌ରେ ରଖିଥିଲେ । ତେବ ପୂରା ମାମଲା ସାମ୍ନାକୁ ଆସିବା ପରେ ଆମ୍ବୁଲାନ୍ସ ଡ୍ରାଇଭର, ଯୁବକ ଓ ତାଙ୍କ ପିତାଙ୍କ ବିରୋଧରେ ଆଇପିସି  ଧାରା 188 ଅନୁଯାୟୀ ମାମଲା ରୁଜୁ କରାଯାଇଛି ।

Related posts