ଖୋଲିଲା ମଦ ଦୋକାନ : ଦୋକାନ ଆଗରେ ଦେଖିବାକୁ ମିଳିଲା ଲମ୍ବା ଲାଇନ୍‌

Published: May 4, 2020, 11:23 am IST

ନୂଆଦିଲ୍ଲୀ : କରୋନା ପାଇଁ ଦେଶରେ ଜାରି ରହିଛି ଲକ୍‌ ଡାଉନ୍‌ । ଆଜିଠାରୁ ତୃତୀୟ ପର୍ଯ୍ୟାୟ ଲକ୍‌ ଡାଉନ୍‌ ଜାରି ରହିବ। ଏହା ମେ’ 17 ତାରିଖ ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ହେବ। ତେବେ ପ୍ରଥମ ଦୁଇ ପର୍ଯ୍ୟାୟ ତୁଳନାରେ ତୃତୀୟ ପର୍ଯ୍ୟାୟ ଲକ୍‌ ଡାଉନ୍‌ରେ କେନ୍ଦ୍ର ସରକାର କିଛି କୋହଳ ନୀତି ଆପଣାଇଛନ୍ତି। ଆଜିଠାରୁ ଗ୍ରୀନ୍‌, ଅରେଞ୍ଜ ଓ ରେଡ୍‌ ଜୋନ‌ରେ ସର୍ତ୍ତମୂଳକ ଭାବେ ମଦ ଦୋକାନ ଖୋଲିବାକୁ କୁହାଯାଇଛି । କେବଳ କଣ୍ଟେନମେଣ୍ଟ ଅଞ୍ଚଳରେ ମଦ ଦୋକାନ ଖୋଲିପାରିବ ନାହିଁ। ମାର୍କେଟ ଓ ମଲ୍‌ ମଧ୍ୟରେ ଥିବା ଦୋକାନ ବ୍ୟତୀତ ବିଭିନ୍ନ ସ୍ଥାନରେ  ଥିବା ଗୋଟିକିଆ ମଦ ଦୋକାନ ଖୋଲିବାକୁ ଅନୁମତି ମିଳିଛି।

ଲକ୍‌ଡାଉନ୍‌ 3.0ରେ କଟକଣା କୋହଳ କରାଯାଇ ମଦ ଦୋକାନ ଖୋଲିବାକୁ ଅନୁମତି ମିଳିବା ପରେ ଏବେ ମଦ ଆଗରେ ଲମ୍ବା ଧାଡ଼ି ଦେଖିବାକୁ ମିଳୁଛି। ଦୋକାନ ଖୋଲିବା ପୂର୍ବରୁ ଲୋକେ ଲମ୍ବା ଧାଡ଼ିରେ ମଦ ଦୋକାନ ଆଗରେ ଅପେକ୍ଷା କରୁଥିବାର ଦେଖିବାକୁ ମିଳିଛି। କର୍ଣ୍ଣାଟକ ରାଜ୍ୟର ବେଙ୍ଗାଲୁରୁ ସହରରେ ମଦ ଦୋକାନ  ଆଗରେ ଦେଢ କିଲୋମିଟର ପର୍ଯ୍ୟନ୍ତ ଏକ ଲମ୍ବା ଧାଡ଼ି ଦେଖିବାକୁ ମିଳିଛି। କେବଳ ବେଙ୍ଗାଲୁରୁ ନୁହେଁ ଦେଶର ଭିନ୍ନ ଭିନ୍ନ ଅଂଶରେ ମଧ୍ୟ ଏପରି ଚିତ୍ର ଦେଖିବାକୁ ମିଳିଛି।

ଦେଶରେ ଲକ୍‌ ଡାଉନ୍‌ 3.0 ଭିତରେ ମଦ ଦୋକାନ ଖୋଲିବା ପାଇଁ ନିର୍ଦ୍ଦେଶ ଜାରି କରାଯାଇଛି । କଣ୍ଟେନମେଣ୍ଟ ଜୋନ୍‌ କ୍ଲବ୍‌ ରୋଡ୍‌ରେ ଲୋକେ ମଦ କିଣିବା ପାଇଁ ଧାଡି କରି ଅପେକ୍ଷା କରିଛନ୍ତି । ପୋଲିସ୍‌ ସେଠାରେ ସାମାଜିକ ଦ୍ବରତ୍ବ ପାଳନ କରାଉଛି।

ଦିଲ୍ଲୀ ସରକାର ମଧ୍ୟ ଏକକ ମଦ ଦୋକାନ ଖୋଲିବାକୁ ନେଇ ଅନୁମତି ଦେଇଛନ୍ତି। ଏହା ପରେ ଲକ୍ଷ୍ମୀନଗରର ଏକ ମଦ ଦୋକାନ ଆଗରେ ମଧ୍ୟ ଲମ୍ବା ଧାଡି ଦେଖିବାକୁ ମିଳିଛି। ଛତିଶଗଡ ରାଜଧାନୀ ରାୟପୁରରେ ମଧ୍ୟ ମଦ ଦୋକାନ ଆଗରେ ଲମ୍ବା ଲାଇନ୍‌ ଦେଖିବାକୁ ମିଳିଛି।

କେନ୍ଦ୍ର ସରକାରଙ୍କ ତରଫରୁ ଜାରି ହୋଇଥିବା ଗାଇଡ୍‌ଲାଇନ୍‌ ମୁତାବକ ସହର ଓ ଗ୍ରାମୀଣ କ୍ଷେତ୍ରରେ ସକାଳ 10ଟାରୁ ସନ୍ଧ୍ୟା 7ଟା ପର୍ଯ୍ୟନ୍ତ ଦୋକାନ ଖୋଲିବାକୁ ଅନୁମତି ଦିଆଯାଇଛି। ତେବେ ସାମାଜିକ ଦୂରତ୍ବ ମାନିବାକୁ ବାଧ୍ୟତାମୂଳକ କରାଯାଇଛି। (ଏଜେନ୍ସି)

Related posts