ରଞ୍ଜିତ୍ ପଣ୍ଡା
କୁଜଙ୍ଗ: ଜଗତସିଂହପୁର ଜିଲ୍ଲା କୁଜଙ୍ଗ ତଥା କେନ୍ଦ୍ରପଡ଼ା ଜିଲ୍ଲାର ୯ ଜଣ ଦାଦନ ଶ୍ରମିକ ଏବେ କର୍ଣ୍ଣାଟକରେ ଫସିଥିବାବେଳେ ସେମାନଙ୍କୁ ରାଜ୍ୟ ସରକାର ଉଦ୍ଧାର କରିବାକୁ ଆକୁଳ ନିବେଦନ କରିଥିବା ଜଣାପଡ଼ିଛି। ସେମାନେ ହେଲେ ଗୌରାଙ୍ଗ ବେହେରା, ଜିଲ୍ଲାନାସୀ, ପ୍ରମୋଦ ଦାସ, ଜିଲ୍ଲାନାସୀ, ଜଗବନ୍ଧୁ ବେହେରା, ପଙ୍କପାଳ, ସରୋଜ ସ୍ୱାଇଁ, ଭାସ୍କର ରାଉତ, ଗୋପିଆକୁଦ, ବ୍ରହ୍ମାନନ୍ଦ ନାଏକ, କେନ୍ଦୁଝର, ରମେଶ ବେହେରା କେନ୍ଦ୍ରାପଡ଼ା, ସଞ୍ଜୟ ମହାଳିକ, ଜଗବନ୍ଧୁ ବେହେରା, କେନ୍ଦ୍ରାପଡ଼ା। ସମ୍ପୃକ୍ତ ଦାଦନ ଶ୍ରମିକ ମାନେ ଦୀର୍ଘଦିନ ଧରି କର୍ଣ୍ଣାଟକର ଟୁଙ୍କୁର ଠାରେ ଥିବା ଶିଳ୍ପାଂଚଳରେ ଦାଦନ ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ। ମାତ୍ର କରୋନା ଭୂତାଣୁ ଜନିତ ସମଗ୍ର ଦେଶରେ ଲକ୍ ଡ଼ାଉନ କାରଣୁ ଓଡ଼ିଶା ଫେରିନପାରି ଏବେ ସେଠାରେ ପଡ଼ି ରହିଛନ୍ତି। କମ୍ପାନୀ କର୍ତ୍ତୃପକ୍ଷ ସେମାନଙ୍କୁ କାର୍ଯ୍ୟରୁ ଛଟେଇ କରିଦେଇ ଥିବାବେଳେ ସେମାନେ ଏବେ ଭୋକ ଉପାସରେ ପଡ଼ି ରହିଛନ୍ତି।
ରାଜ୍ୟସରକାରଙ୍କର ପୋର୍ଟାଲରେ ନାମ ପଞ୍ଜିକରଣ କରି ଓଡ଼ିଶା ଫେରିବାକୁ ଅପେକ୍ଷା କରିଛନ୍ତି। ଏନେଇ ସେମାନେ ପାରାଦୀପ ବିଧାୟକ ସମ୍ବିତ ରାଉତରାୟଙ୍କ ସହିତ ସମ୍ପର୍କ ରକ୍ଷା କରିଥିଲେ। ବିଧାୟକ ଶ୍ରୀଯୁକ୍ତ ରାଉତରାୟ ତାଙ୍କୁ ରାଜ୍ୟସରକାରଙ୍କ ସହିତ ଯୋଗାଯୋଗ କରିବାକୁ ପରାମର୍ଶ ପ୍ରଦାନ କରିଥିବା ସେମାନେ ପ୍ରକାଶ କରିଛନ୍ତି। ତେବେ ରାଜ୍ୟସରକାର ସେମାନଙ୍କୁ ଫେରାଇ ଆଣିବାକୁ ଆନୁସଙ୍ଗିକ ବ୍ୟବସ୍ଥା କରିବାକୁ ସେମାନେ ନିବେଦନ କରିଥିବା ଜଣାପଡ଼ିଛି।